ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନେପାଳକୁ ଭାରତରୁ ଚିନି ମିଳିବା ସମ୍ଭାବନା ନାହିଁ

ଭାରତରୁ ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣା ଯୋଗୁଁ ପଡ଼ୋଶୀ ଦେଶ ନେପାଳର ଚିନ୍ତା ବଢ଼ିବାରେ ଲାଗିଛି। ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନେପାଳକୁ ଭାରତରୁ ଚିନି ମିଳିବା ସମ୍ଭାବନା ନାହିଁ। ଏହି ଖବର ନେପାଳ ସରକାର ଏବଂ ସେଠାକାର ପ୍ରମୁଖ ନେତା ବାଲେନ ଶାହଙ୍କ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଭାରତ ସରକାର ପୂର୍ବରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚିନି ରପ୍ତାନୀ ଉପରେ ରୋକ ଲଗାଇ ସାରିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ରଏଟର୍ସ (Reuters) ର ଏକ ରିପୋର୍ଟ ଅନୁଯାୟୀ, ଭାରତ ଆଗାମୀ ୩ଟି ସିଜନ୍ (ବର୍ଷ) ପର୍ଯ୍ୟନ୍ତ ରପ୍ତାନୀ ପାଇଁ ବଳକା ଚିନି ରଖିବା ସ୍ଥିତିରେ ନାହିଁ। ଏହାର ଦୁଇଟି ମୁଖ୍ୟ କାରଣ ରହିଛି ।

୧. ଏଲ୍ ନିନୋ (El Niño) ର ପ୍ରଭାବ: ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନରେ ଆଖୁ ଚାଷ ଓ ଉତ୍ପାଦନ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

୨. ଇଥାନଲ୍ (Ethanol) ର ବର୍ଦ୍ଧିତ ଚାହିଦା: ଭାରତରେ ଜୈବ-ଇନ୍ଧନ ବା ବାୟୋଫ୍ୟୁଲ୍ ନୀତି ଯୋଗୁଁ ଆଖୁ ରସକୁ ଚିନି ବଦଳରେ ଇଥାନଲ୍ ପ୍ରସ୍ତୁତିରେ ଅଧିକ ବ୍ୟବହାର କରାଯାଉଛି, ଯାହା ଚିନିର ଉପଲବ୍ଧତାକୁ ହ୍ରାସ କରୁଛି।

ଏହି ଦୁଇଟି କାରଣ ଯୋଗୁଁ ବିଶ୍ଵ ବଜାରକୁ ଲକ୍ଷ ଲକ୍ଷ ଟନ୍ ଚିନି କମ୍ ଯିବ, ଯାହା ଦ୍ଵାରା ଏସିଆ, ଆଫ୍ରିକା ଏବଂ ମିଡିଲ୍ ଇଷ୍ଟ୍ (ମଧ୍ୟ ପ୍ରାଚ୍ୟ) ର ଆମଦାନୀକାରୀ ଦେଶଗୁଡ଼ିକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବେ। ଏପରିକି ଆମେରିକା ଏବଂ ବ୍ରିଟେନ୍ (UK) ଭଳି ଦେଶରେ ମଧ୍ୟ ଚିନିର ମୂଲ୍ୟ ବୃଦ୍ଧି ପାଇବ। ଦୁନିଆର ଦ୍ଵିତୀୟ ସବୁଠାରୁ ବଡ଼ ଚିନି ରପ୍ତାନିକାରୀ ଦେଶ ଥିବା ଭାରତ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାରରୁ ଦୂରେଇ ରହେ, ତେବେ ଚାହିଦା ଓ ଯୋଗାଣ (Demand and Supply) ର ସନ୍ତୁଳନ ବିଗିଡ଼ିଯିବ। ପାଣିପାଗର ବିପଦ ଏବଂ ବାୟୋଫ୍ୟୁଲ୍ ନୀତି ଯୋଗୁଁ ବିଶ୍ଵ ସ୍ତରରେ ଚିନି ବ୍ୟାପାରର ଚିତ୍ର ବଦଳିବାକୁ ଯାଉଛି।

ନେପାଳର ସ୍ଥିତି

ଭାରତର ରପ୍ତାନୀ ବ୍ୟାନ୍ ଯୋଗୁଁ ନେପାଳରେ ଏବେଠାରୁ ଚିନି ସଙ୍କଟ ଦେଖାଦେଲାଣି। ‘କାଠମାଣ୍ଡୁ ପୋଷ୍ଟ’ର ଏକ ରିପୋର୍ଟ ଅନୁସାରେ ନେପାଳର ଆଭ୍ୟନ୍ତରୀଣ ସ୍ଥିତି ସଙ୍ଗୀନ ରହିଛି । ନେପାଳରେ ପୂର୍ବରୁ ପ୍ରତିବର୍ଷ ପ୍ରାୟ ୧,୫୫,୦୦୦ ଟନ୍ ଚିନି ଉତ୍ପାଦନ ହେଉଥିଲା। ମାତ୍ର ଚିନି ମିଲ୍ ମାଲିକମାନଙ୍କ ଠାରୁ ଠିକ୍ ସମୟରେ ପେମେଣ୍ଟ ବା ଅର୍ଥ ନମିଳିବା ଯୋଗୁଁ ଚାଷୀମାନେ ଆଖୁ ଚାଷ କମାଇ ଦେଇଛନ୍ତି। ଫଳରେ ବର୍ତ୍ତମାନ ଉତ୍ପାଦନ ହ୍ରାସ ପାଇ ପ୍ରାୟ ୧,୨୦,୦୦୦ ଟନରେ ପହଞ୍ଚିଛି।

ନେପାଳରେ ବାର୍ଷିକ ଚିନିର ଚାହିଦା ପ୍ରାୟ ୩,୦,୦୦୦ ଟନ୍। ଅର୍ଥାତ, ନିଜର ମୋଟ ଚାହିଦାର ପ୍ରାୟ ୨/୩ ଭାଗ ଚିନି ନେପାଳକୁ ବାହାର ଦେଶରୁ (ମୁଖ୍ୟତଃ ଭାରତରୁ) ଆମଦାନୀ କରିବାକୁ ପଡ଼ିଥାଏ। ଭାରତୀୟ ଚିନି ଉପରେ କଟକଣା ଲାଗିବାର ମାତ୍ର ଏକ ମାସ ମଧ୍ୟରେ ନେପାଳ ବଜାରରେ ଚିନି କିଲୋ ପ୍ରତି ପ୍ରାୟ ୧୫ ନେପାଳୀ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଯେଉଁ ଚିନି କିଲୋ ପ୍ରତି ୯୫ ନେପାଳୀ ଟଙ୍କାରେ ମିଳୁଥିଲା, ତାହା ଏବେ ଖୁଚୁରା ବଜାରରେ ପ୍ରାୟ ୧୧୦ ନେପାଳୀ ଟଙ୍କାରେ ବିକ୍ରି ହେଉଛି। ତେବେ ଭାରତର ଏହି ଦୀର୍ଘକାଳୀନ ରପ୍ତାନୀ କଟକଣା ନେପାଳର ଘରୋଇ ବଜାରରେ ମହଙ୍ଗା ପରିସ୍ଥିତି ସୃଷ୍ଟି କରିବା ସହ ପ୍ରଶାସନ ପାଇଁ ଏକ ବଡ଼ ଆହ୍ଵାନ ପାଲଟିଛି।

Leave a comment