ଆଜି ପବିତ୍ର ବିଜୟା ଦଶମୀ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ରାବଣ ପୋଡ଼ି । ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମାାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି । ସକାଳୁ ଉପଚାର ପୂଜା କରାଯିବା ପରେ ବିଜୟାଦଶମୀ ଅନୁଷ୍ଠିତ ହେବ । ଏହା ପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ ।ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା, ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା, ବଡଗଡ଼ ଥାନା ଅନ୍ତର୍ଗତ କୋରଡକଣ୍ଟା, ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ , ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋପାଳପୁର, ଇନ୍ଫୋସିଟି ଥାନା ଅନ୍ତର୍ଗତ କିଟ ରୋଡ଼ ଓ ଏୟାରଫିଲଡ଼ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ ଠାରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି। ଭୁବନେଶ୍ୱରରେ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୭ ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି ।
ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବରମୁଣ୍ଡା ପୂଜା ମଣ୍ଡପ ଠାରେ ଅଗ୍ନିଶମ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି । ବାଣ ଫୁଟିବା ସ୍ଥାନ ଠାରୁ ଶହେ ମିଟର ଦୂରରେ ଲୋକମାନେ ରହିବେ । ଏଥିପାଇଁ ବ୍ୟାରିକେଡ କରାଯାଇଛି । ବିଶେଷ ଶବ୍ଦ ପ୍ରଦୂଷଣ ନହେବା ପାଇଁ ଗ୍ରୀନ କ୍ରାକରର ବ୍ୟବହାର ପାଇଁ ପୂର୍ବରୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । କୌଣସି ଅଘଟଣ ଘଟିଲେ ରାବଣ ପୋଡି ହେଉଥିବା ସ୍ଥାନରେ ଫାୟାର ଫାଇଟର ମାନେ ଆମ୍ବୁଲାନ୍ସ ସହ ରହିବେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି