“ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ

ଓଡ଼ିଶାର କୋରାପୁଟ ପାହାଡ଼ରୁ ବାହାରି ଏବେ ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ପ୍ରିମିୟମ୍ କଫି। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ପ୍ରସିଦ୍ଧ “ବ୍ରିକ୍ସ ସମ୍ମିଳନୀ”ରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”। ଏହି ସଫଳତା ପ୍ରଧାନମନ୍ତ୍ରୀଙ୍କ “ଭୋକାଲ୍ ଫର୍ ଲୋକାଲ୍” ନାରାକୁ ପ୍ରତିଫଳିତ କରିବା ସହ ଓଡ଼ିଶାର ଆଦିବାସୀ ଚାଷୀଙ୍କ ପରିଶ୍ରମ ଓ ସ୍ଥାୟୀ ଜୀବିକାର ଏକ ସଫଳ କାହାଣୀକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିଛି।

କୋରାପୁଟର ଆଦିବାସୀ ସମ୍ପ୍ରଦାୟ ପାଇଁ ‘ଟାଇଗର ବ୍ରାଇଟ୍’ର ଏହି ସଫଳତା କେବଳ ଗୋଟିଏ କଫି ବ୍ରାଣ୍ଡ୍ର ବିକାଶ ନୁହେଁ, ବରଂ ଗ୍ରାମୀଣ ଆଦିବାସୀ ଅଞ୍ଚଳର ସ୍ୱଦେଶୀ ଉତ୍ପାଦ କିପରି ଆଧୁନିକ ଅନ୍ତର୍ଜାତୀୟ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବ, ତାର ଏକ ଉଜ୍ଜ୍ୱଳ ଉଦାହରଣ। କୋରାପୁଟ ପାହାଡ଼ରେ ଉତ୍ପାଦିତ କଫି ପାଇଁ ଏକ ସୁବ୍ୟବସ୍ଥିତ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ୨୦୧୯ ସେପ୍ଟେମ୍ବର ୧୧ ରେ “କୋରାପୁଟ କଫି” ବ୍ରାଣ୍ଡର ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରୟାସ ସଫଳ ହୋଇ ବହୁ ଆଦିବାସୀ ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିଛି।

ଏହି ସ୍ୱତନ୍ତ୍ର କଫି ବିଶେଷ କରି କୋରାପୁଟ ଜିଲ୍ଲାର ନନ୍ଦପୁର ଏବଂ ମାଛକୁଣ୍ଡ ଅଞ୍ଚଳରେ ସମୁଦ୍ର ପତନରୁ ପ୍ରାୟ ୯୨୦ ରୁ ୯୫୦ ମିଟର ଉଚ୍ଚତାରେ ଚାଷ କରାଯାଏ। ଓଡ଼ିଶା ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ (TDCCOL) ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଫି ଫଳ କ୍ରୟ, ଶୁଖାଇବା, ଗ୍ରେଡିଂ ଏବଂ ପ୍ରକ୍ରିୟାକରଣ କରାଯାଇ ଗ୍ରାହକଙ୍କ ପାଖରେ ପହଞ୍ଚାଯାଉଛି। ପ୍ରାକୃତିକ ଛାଇରେ ବଢ଼ୁଥିବା ଏହି କଫି ବିନ୍ସକୁ ପାରମ୍ପାରିକ କାଠ ଖଟ ଉପରେ ରଖି ଖରାରେ ଶୁଖାଯାଏ। ‘ଟାଇଗର ବ୍ରାଇଟ୍’ କଫିରେ କମଳା, ଲେମ୍ବୁ ଏବଂ ସ୍ୱିଟ୍ ଲାଇମ୍ ଫ୍ଲେଭର୍ ସହ କାରାମେଲ୍, ଚୋକୋଲେଟ୍ ଓ କୋକୋଆର ସନ୍ତୁଳିତ ମିଶ୍ରଣ ରହିଥିବାରୁ ଏହା କଫିପ୍ରେମୀଙ୍କ ପ୍ରଥମ ପସନ୍ଦ ପାଲଟିଛି।

ସୂଚନାଯୋଗ୍ୟ, ୨୦୨୫–୨୬ ବର୍ଷରେ TDCCOL ରେକର୍ଡ ପରିମାଣର ୧୦୨.୫୪ ମେଟ୍ରିକ ଟନ୍ କଫି ଫଳ କ୍ରୟ କରିଛି, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ। ଏହି ଅଭିବୃଦ୍ଧି ଯୋଗୁଁ ପ୍ରାୟ ୩୬୦ ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ସାମାଜିକ ଓ ଆର୍ଥିକ ସ୍ତରରେ ଲାଭାନ୍ୱିତ ହୋଇଛନ୍ତି। ବ୍ୟବସାୟ ବୃଦ୍ଧି ପାଇଁ ଓଡ଼ିଶା ଏବଂ ଦିଲ୍ଲୀରେ ୮ଟି କୋରାପୁଟ କଫି କାଫେ ଖୋଲାଯାଇଥିବା ବେଳେ ଗୋଟିଏ ବର୍ଷରେ ୧.୬୪ କୋଟି ଟଙ୍କାର ବ୍ୟବସାୟ ହୋଇଛି ଏବଂ ୧୦,୬୩୪ ରୁ ଅଧିକ ‘ଟାଇଗର ବ୍ରାଇଟ୍’ ପ୍ୟାକେଟ୍ ବିକ୍ରି ହୋଇସାରିଛି।

ଜାତୀୟ ସ୍ତରରେ ଦୁଇଥର ‘ଫାଇନ୍ କପ୍ ଆୱାର୍ଡ’ ଜିତିବା ସହ କଫି ବୋର୍ଡର ‘ଫ୍ଲେଭର ଅଫ୍ ଇଣ୍ଡିଆ ଫାଇନ୍ କପ୍ ୨୦୨୪’ ରେ ଚତୁର୍ଥ ସ୍ଥାନ ହାସଲ କରିସାରିଛି ଏହି କଫି। ବ୍ରିକ୍ସ ଭଳି ବିଶ୍ୱସ୍ତରୀୟ ସମ୍ମିଳନୀରେ ସ୍ଥାନ ପାଇବା ଓଡ଼ିଶାର ସୀମା ଡେଇଁ କୋରାପୁଟ କଫିକୁ ବିଶ୍ୱ ବଜାରରେ ଏକ ସୁଗନ୍ଧିତ ପ୍ରତୀକ ଭାବେ ଛିଡ଼ା କରିବା ସହ ଅଞ୍ଚଳକୁ ଏକ ନୂତନ “କଫି ପର୍ଯ୍ୟଟନ ସ୍ଥଳୀ” ଭାବେ ଗଢ଼ିତୋଳିବାରେ ନୂଆ ରାସ୍ତା ଖୋଲିଛି।

Leave a comment