ନିଜ ସାମରିକ କ୍ଷମତାକୁ ଆହୁରି ମଜଭୁତ କରିବା ପାଇଁ ମିଜାଇଲ ଫ୍ୟାକ୍ଟ୍ରିପରିଦର୍ଶନ କଲେ କିମ୍ ଜୋଙ୍ଗ ଉନ୍
ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ସାମରିକ ଶକ୍ତିକୁ ନେଇ ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ସରକାରୀ ମିଡିଆ ଦ୍ୱାରା ଜାରି ଛବିରେ କିମ ଜୋଙ୍ଗଙ୍କୁ ଏକ ମିଜାଇଲ ପ୍ରଡକ୍ସନ ଫ୍ୟାସେଲିଟି ପରିଦର୍ଶନ କରୁଥିବା ଦେଖା ଯାଇଛନ୍ତି। କୁହାଯାଉଛି ଏଠାରେ ଦେଶର ଆଡଭାନ୍ସ ମିଜାଇଲ ନିର୍ମାଣ କରାଯାଏ। ଏହା ଦ୍ୱାରା ଉତ୍ତର କୋରିଆ ସ୍ପଷ୍ଟ ସଂକେତ ଦେଇଛି ଯେ କିମ ଜୋଙ୍ଗ ତାଙ୍କ ସାମରିକ କ୍ଷମତାକୁ ଆହୁରି ମଜଭୁତ କରିବାକୁ ପ୍ରସ୍ତୁତ।
ଉତ୍ତର କୋରିଆ ସରକାର ନ୍ୟୁଜ୍ ଏଜେନ୍ସୀ କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସୀ (କେସିଏନଏ) କିଛି ଫଟୋଚିତ୍ର ଜାରି କରିଛି। ଯେଉଁଥିରେ କିମ୍ ଜୋଙ୍ଗ ଉନ୍ ଏକ ମିଜାଇଲ ଫ୍ୟାକ୍ଟ୍ରିପରିଦର୍ଶନ କରୁଥିବା ଦେଖା ଯାଇଛନ୍ତି। ଛବିରେ ତାଙ୍କ ଆଖପାଖରେ ବହୁ ସଂଖ୍ୟାରେ ମିଜାଇଲ ଥିବାର ଦେଖା ଯାଉଛି। ତେବେ ସୁରକ୍ଷାଗତ କାରଣରୁ କାରଖାନାର ଲୋକେସନ ଓ ବୈଷୟିକ ସୂଚନା ଦିଆଯାଇ ନାହିଁ। ଏହି କାରଣରୁ ଏହାକୁ ‘ସିକ୍ରେଟ୍’ ଫ୍ୟାସେଲିଟି ବୋଲି କୁହାଯାଉଛି। ସାରା ବିସ୍ୱର ଗୋଇନ୍ଦା ଏଜେନ୍ସୀମାନେ ଏବେ ଏହି ଫଟୋଚିତ୍ରର ବିଶ୍ଳେଷଣ କରୁଛନ୍ତି।
ଏହି ପରିଦର୍ଶନ କାଳରେ କିମ୍ ଜୋଙ୍ଗ ଉନ ଅଧିକାରୀଙ୍କୁ ମିଜାଇଲ ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏବେକା ପଞ୍ଚବାର୍ଷିକ ଯୋଜନାରେ ବାର୍ଷିକ ଉତ୍ପାଦନ ୨.୫ଗୁଣା ଅଧିକ ବଢାଯିବା ଦରକାର। ଆଞ୍ଚଳିକ ଉତ୍ତେଜନା ଓ ସୁରକ୍ଷା ଚ୍ୟାଲେଞ୍ଜ ମଧ୍ୟରେ ଆଗକୁ ସେନାକୁ ଅଧିକ ମିଜାଇଲର ଆବଶ୍ୟକତା ପଡିବ। ଏଥିରୁ ଯାହା ଜଣାପଡୁଛି ପ୍ୟୋଙ୍ଗୟାଙ୍ଗ ଆଗାମୀ ବର୍ଷମାନଙ୍କରେ ନିଜର ସୈନ୍ୟ କ୍ଷମତାକୁ ଆହୁରି ସମ୍ପ୍ରସାରଣ କରିବା ରଣନୀତିରେ କାମ କରୁଛି।
ସେହିପରି କିମ୍ ଜୋଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ ଆମେରିକା ଓ ସହଯୋଗୀ ଦେଶଙ୍କୁ ସିଧା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ର ଛାଡିବା ଲାଗି କହିବା ଏବେ ବାସ୍ତବିକତା ଠାରୁ ବେଶ୍ ଦୂରରେ। ତାଙ୍କ କହିବା ଅନୁସାରେ ଉତ୍ତର କୋରିଆ ଏକ ପରମାଣୁ ସମ୍ପନ୍ନ ଦେଶ ଓ ଏହି ସ୍ଥିତିକୁ ବଦଳାଇବାର କୌଣସି ପ୍ରଶ୍ନ ଉଠୁ ନାହିଁ। ଏଥିରୁ ଜଣାପଡୁଛି ଯେ ଉତ୍ତର କୋରିଆ ଭବିଷ୍ୟତରେ ମଧ୍ୟ ନିଜ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବ ଓ ଏଥି ପାଇଁ ଅନ୍ତର୍ଜାତୀୟ ଚାପକୁ ସ୍ୱୀକାର କରିବାର ମାନସିକତାରେ ନାହିଁ।
ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉତ୍ତର କୋରିଆ ଗସ୍ତନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରା ପୂର୍ବରୁ ପ୍ୟୋଙ୍ଗୟାଙ୍ଗ ଶକ୍ତି ପ୍ରଦର୍ଶନ କରି ଦୁନିଆକୁ ବାର୍ତ୍ତା ଦେବାକୁ ଚାହୁଁଛି। ବିଶ୍ଲେଷକଙ୍କ କହିବା କଥା ହେଉଛି ଉତ୍ତର କୋରିଆ ଏହା ଦେଖାଇବାକୁ ଚାହୁଁଛି ସେ କୌଣସି ଆଲୋଚନା ଅଥବା କୂଟନୀତି ପ୍ରକ୍ରିୟାରେ ସାମିଲ ହେବ ନାହିଁ। ଏଣୁ ମିଜାଇଲ ଫ୍ୟାକ୍ଟ୍ରି ଛବି ଓ ପରମାଣୁ ଅସ୍ତ୍ର ନେଇ କଡ଼ା ବୟାନ ଏକ ରଣନୀତିର ଅଂଶବିଶେଷ ବୋଲି ମନେ କରାଯାଉଛି।