ଇସ୍ରାଏଲ ଏବଂ ଇରାନକୁ ପରଷ୍ପର ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବ୍ୟାପକ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଇସ୍ରାଏଲ ଏବଂ ଇରାନକୁ ପରଷ୍ପର ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଉଭୟ ଦେଶ ବିଳମ୍ବ ନକରି ଗୋଳିମାଡ଼ ବନ୍ଦ କରିବା ଉଚିତ।

ଶାନ୍ତି ଚୁକ୍ତି ପାଇଁ ଟ୍ରମ୍ପଙ୍କ ପ୍ରୟାସ
୭ ଜୁନ୍ ୨୦୨୬ରେ ପ୍ରକାଶିତ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି। ସେ ନେତନ୍ୟାହୁଙ୍କୁ ଇରାନର ମିସାଇଲ୍ ଆକ୍ରମଣର ଜବାବ ନଦେବାକୁ ଅନୁରୋଧ କରିଛନ୍ତି। ଟ୍ରମ୍ପଙ୍କ କହିବା ଅନୁଯାୟୀ, ଯଦି ଇସ୍ରାଏଲ ପାଲଟା ଆକ୍ରମଣ କରେ, ତେବେ ବିଗତ ତିନି ମାସ ଧରି ଚାଲିଥିବା ସଂଘର୍ଷକୁ ଶେଷ କରିବା ପାଇଁ ହେବାକୁ ଥିବା ଶାନ୍ତି ଆଲୋଚନା ବିପଦରେ ପଡ଼ିଯିବ।

ଆମେରିକୀୟ ମିଡିଆ ଆଉଟଲେଟ୍ ‘ଏକ୍ସିଓସ୍’ ଅନୁସାରେ, ରବିବାର ଦିନ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ମାଡ଼ ହେବା ପରେ, ଯେପରି ଏହି ନୂତନ ଉତ୍ତେଜନା ଶାନ୍ତି ପ୍ରକ୍ରିୟାକୁ ପ୍ରଭାବିତ ନକରେ, ତେଣୁ ଟ୍ରମ୍ପ ତୁରନ୍ତ ନେତନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ, । ‘ଫକ୍ସ ନ୍ୟୁଜ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଆମେ ଏକ ବଡ଼ ଚୁକ୍ତି କରିବାକୁ ଯାଉଛି । ମୋର ବିଶ୍ୱାସ ଯେ, ଆସନ୍ତା ସୋମବାର, ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ଏହି ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇପାରେ।

ଏହା ସହିତ ସେ ଇରାନକୁ ସ୍ପଷ୍ଟ ସନ୍ଦେଶ ଦେଇ କହିଛନ୍ତି ଯେ, ‘ତୁମେ ମିସାଇଲ ମାଡ଼ କରିସାରିଛନ୍ତି ଏବଂ ଏତିକି ହିଁ ଯଥେଷ୍ଟ। ଏବେ ଆକ୍ରମଣ ବନ୍ଦ କରି ଆଲୋଚନା ପାଇଁ ଆଗେଇ ଆସ ଓ ଚୁକ୍ତି କର।’ ଟ୍ରମ୍ପ୍ ଦାବି କରିଛନ୍ତି ଯେ, ଇରାନ ଆକ୍ରମଣରେ ଇସ୍ରାଏଲର କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ, ତେଣୁ ଇସ୍ରାଏଲ ପାଲଟା ଆକ୍ରମଣରୁ ଦୂରେଇ ରହିବା ଉଚିତ। ସେ ଚେତାବନୀ ଦେଇଛନ୍ତି ଯେ ଯଦି ‘ବିବି’ (ନେତନ୍ୟାହୁ) ପୁଣି ଆକ୍ରମଣ କରନ୍ତି, ତେବେ ବିଗତ କେଇ ଦଶନ୍ଧି ଧରି ଚାଲିଆସୁଥିବା ଏହି ହିଂସାର ଚକ୍ର କେବେବି ବନ୍ଦ ହେବନାହିଁ।

‘ଫାଇନାନ୍ସିଆଲ୍ ଟାଇମ୍ସ’କୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଇରାନ ସହିତ ଯେଉଁ ଚୁକ୍ତି କରିବ, ତାହାକୁ ନେତନ୍ୟାହୁଙ୍କୁ ଗ୍ରହଣ କରିବାକୁ ହିଁ ପଡ଼ିବ। ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ସେପଟେ ରବିବାର (୭ ଜୁନ୍) ଦିନ ଲେବାନନର ରାଜଧାନୀ ବେରୁତ ଉପରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକକୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଇସ୍ରାଏଲର ଏହି ପଦକ୍ଷେପରେ ସେ ଆଦୌ ସନ୍ତୁଷ୍ଟ ନାହାନ୍ତି। ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଚୁକ୍ତି ହେବା ପର୍ଯ୍ୟନ୍ତ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ଟ୍ରମ୍ପ ନେତନ୍ୟାହୁଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave a comment