ଆମେରିକାର ଅନେକ ଯୁଦ୍ଧବିମାନକୁ ଧ୍ୱଂସ କରିଥିବା ନେଇ ଇରାନ ଦାବି
ଆମେରିକାର ଅନେକ ଯୁଦ୍ଧବିମାନକୁ ଧ୍ୱଂସ କରିଥିବା ନେଇ ଇରାନ ଦାବି କରିଛି । ଏପରିକି ଆମେରିକାର ଅନ୍ୟ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି ବୋଲୀ ଇରାନ ସେନା ପକ୍ଷରୁ କୁହାଯାଇଛି । ଇସଲାମିକ ରିପବ୍ଲିକ ଅଫ୍ ଇରାନ ଉପରେ ଆମେରିକା ପକ୍ଷରୁ ଗତ ରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍ (ବିମାନ ଆକ୍ରମଣ) ରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଏବେ ଜୋର୍ଡାନରେ ଅବସ୍ଥିତ ଆମେରିକାର ସାମରିକ ଘାଟି ଉପରେ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ଜରିଆରେ ପ୍ରତିଆକ୍ରମଣ କରିଥିବା ଦାବି କରିଛି। ଜୋର୍ଡାନର ସେନା ପକ୍ଷରୁ ଇରାନର ତିନୋଟି ମିସାଇଲକୁ ଆକାଶରେ ଖସାଇ ଦିଆଯାଇଥିବା ନେଇ ସୂଚନା ଦିଆଯିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଇରାନ ଏହି ଆକ୍ରମଣ କରିଛି ।
ଇରାନର ରିଭୋଲ୍ୟୁସନାରୀ ଗାର୍ଡସ (IRGC) ଏକ ବିବୃତ୍ତି ଜାରି କରି କହିଛି ଯେ, ସେନା ଆମେରିକାର ଅନେକ ଇନ୍ଧନ ଭରୁଥିବା ବିମାନ (refuelling aircraft) ଏବଂ ଫାଇଟର ଜେଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ଏହା ସହିତ ଅନ୍ୟ କେତେକ ବିମାନର ବ୍ୟାପକ କ୍ଷତି ହୋଇଛି । ଇରାନ ସେନା ଜୋର୍ଡାନର ସାଧାରଣ ନାଗରିକମାନଙ୍କୁ ଆହ୍ୱାନ କରି କହିଛି ଯେ, ସେମାନଙ୍କ ଦେଶରେ ଥିବା ଆକ୍ରମଣକାରୀ ତଥା ଇସଲାମ-ବିରୋଧୀ ଆମେରିକୀୟଙ୍କ ସ୍ୱାର୍ଥ ଓ ସମ୍ପତ୍ତିକୁ ଟାର୍ଗେଟ କରନ୍ତୁ।
ଇରାନର ଗଣମାଧ୍ୟମ ଅନୁଯାୟୀ, IRGC ସିରିଆର ଅଲ-ତାନଫ୍ ସ୍ଥିତ ଆମେରିକାର ଏକ ସ୍ପେଶାଲ ଅପରେସନ କମାଣ୍ଡ ସେଣ୍ଟର ଉପରେ ମଧ୍ୟ ଆକ୍ରମଣ କରିଛି। ସିରିଆ ସରକାର କିମ୍ବା ଆମେରିକା ସେନା ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସେନା ଗତ ଫେବୃଆରୀ ମାସରେ ହିଁ ସିରିଆ, ଜୋର୍ଡାନ ଏବଂ ଇରାକର ସୀମାନ୍ତରେ ଥିବା ଏହି ଅଲ-ତାନଫ୍ ସାମରିକ ଘାଟିରୁ ନିଜର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଥିବା ନେଇ କହିଥିଲା । ସିରିଆ ବର୍ତ୍ତମାନ ଏହି ଆଞ୍ଚଳିକ ମହାଯୁଦ୍ଧରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି, ଯେଉଁଥିରେ ପଡ଼ୋଶୀ ଲେବାନନ ଏବଂ ଇରାକ ସାମିଲ ହୋଇସାରିଛନ୍ତି।
ଅପରପକ୍ଷରେ, ଇରାକର କୁର୍ଦ୍ଦିଶ ଅଞ୍ଚଳରେ ଥିବା ଇରବିଲ ଏବଂ ସୁଲେମାନିୟା ସହରରେ ଶତ୍ରୁପକ୍ଷର ମିସାଇଲ ମାଡ଼କୁ ପ୍ରତିହତ କରିବା ସମୟରେ ବ୍ୟାପକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଏହି ଆକ୍ରମଣରେ ଇରାନର କୁର୍ଦ୍ଦିଶ ବିଦ୍ରୋହୀ ଗୋଷ୍ଠୀ ‘କୋମାଲା’କୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି, ଯେଉଁଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଇରାନ ଏହି ଆକ୍ରମଣର ଦାୟିତ୍ୱ ସିଧାସଳଖ ନେଇନଥିଲେ ମଧ୍ୟ ପୂର୍ବରୁ ଅନେକ ସମୟରେ ସେ କୋମାଲା ଗୋଷ୍ଠୀ ଉପରେ ଆକ୍ରମଣ କରିଆସିଛି।
ଏହା ବ୍ୟତୀତ, ତେହେରାନ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସହଯୋଗୀ ରାଷ୍ଟ୍ର କତାର ଉପରେ ମିସାଇଲ ମାଡ଼ କରାଯାଇଛି ଏବଂ କୁଏତର ଏକ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ଓ ଜଳ ବିଶୋଧନ ପ୍ରକଳ୍ପକୁ କ୍ଷତିଗ୍ରସ୍ତ କରାଯାଇଛି । ଗତ ମାସରେ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି ଚୁକ୍ତି ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ (Strait of Hormuz) ଉପରୁ ନିଜର ଆଧିପତ୍ୟ କୋହଳ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି। ଏହି କ୍ରମରେ ଆମେରିକା ତାର ଏୟାର ଷ୍ଟ୍ରାଇକ୍ ପରିସରକୁ ବୃଦ୍ଧି କରି ଇରାନର ଗୁରୁତ୍ୱପୂର୍ଣ୍ଣ ପୋଲ (ବ୍ରିଜ୍), ବିଦ୍ୟୁତ ଭିତ୍ତିଭୂମି ଏବଂ ଏକ ପ୍ରମୁଖ ବନ୍ଦରର ଟାୱାରକୁ ଧ୍ୱଂସ କରିଦେଇଛି।