ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତେଜିବା ସହ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତେଜିବା ସହ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ ହୋଇଛି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ବ୍ୟାରେଲ ପିଛା ବ୍ରେଣ୍ଡ୍ କୁଡ୍ ପ୍ରାୟ ୮୭ରୁ ୮୮ ଡଲାର ମଧ୍ୟରେ ରହିଛି। ପୂର୍ବମାସ ଯୁଦ୍ଧ ଶିଥିଳ ପଡ଼ିବା ଯୋଗୁ ଅଶୋଧିତ ତୈଳ ଦର ଏପ୍ରିଲ ମାସର ସର୍ବୋଚ୍ଚ ସ୍ତରରୁ ୪୨% ଖସିଯାଇଥିଲା। କିନ୍ତୁ ସ୍ଥିତି ଏବେ ବିପରୀତ।
ଯୁଦ୍ଧ ପୁଣି ବଜାରରେ ଅସ୍ଥିରତା ଆଣିଛି । ଗତ ସପ୍ତାହରେ ଦର ପାଖାପାଖି ୨୦% ବଢ଼ିଗଲାଣି। ବର୍ତ୍ତମାନ ସ୍ଥିତିରେ ଯୁଦ୍ଧବିରାମର ଚିହ୍ନବର୍ଣ୍ଣ ନାହିଁ। ଏଭଳି ପରିସ୍ଥିତିରେ ନିକଟରେ ତୈଳ ଦର ୭୦ ଡଲାର ସ୍ତରକୁ ଆସିବା ଭଳି ଜଣା ପଡୁ ନ ଥିବା କୁହନ୍ତି ଜେଏମ୍ ଫାଇନାନସିଆଲର କରେନ୍ସି ଏବଂ କମୋଡିଟି ବିଭାଗ ବରିଷ୍ଠ ଉପସଭାପତି ପ୍ରଣବ ମେର୍।
ସେ କହିଛନ୍ତି ଯେ, ଯୁଦ୍ଧ ଯଦି ବନ୍ଦ ନ ହୁଏ ତେବେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୯୨ରୁ ୯୫ ଡଲାର ପର୍ଯ୍ୟନ୍ତ ଯାଇପାରେ। ଯଦି ସ୍ଥିତି ଅଧିକ ଖରାପ ହୁଏ ତେବେ ଏହା ୧୦୦ ଡଲାର ପାର୍ କରିଯାଇପାରେ।
କୋଟାକ ସିକ୍ୟୁରିଟିଜର ମୁଖ୍ୟ( କମୋଡିଟି ରିସର୍ଚ୍ଚ) ଆନିନ୍ଦ୍ୟ ବାନାର୍ଜୀ କୁହନ୍ତି, ଭୁ-ରାଜନୈତିକ ଅସ୍ଥିରତା ଯୋଗୁ ଅଶୋଧିତ ତୈଳ ଦର ପୁଣି ବଢ଼ିବା ଆରମ୍ଭ ହେଲାଣି। ଆଗକୁ ଏହା ୭୦ରୁ ୯୦ ଡଲାର ମଧ୍ୟରେ ରହିପାରେ ବୋଲି ସେ ଅନୁମାନ କରିଛନ୍ତି। ପ୍ରମୁଖ ଗଲ୍ଫ ରପ୍ତାନି ଭିତ୍ତିଭୂମିରେ ହମଲା ତୈଳ ଦରକୁ ୯୫ରୁ ୧୦୦ ଡଲାର ପର୍ଯ୍ୟନ୍ତ ନେଇଯାଇପାରେ ବୋଲି ବାନାର୍ଜୀ କହିଛନ୍ତି ।