‘ଫ୍ଲାଏଦୁବାଇ’ ଯାତ୍ରୀବାହୀ ବିମାନକୁ ଏକ ବଡ଼ ବିପଦରୁ ରକ୍ଷା କରିଥିବା ମୁଖ୍ୟ ପାଇଲଟ୍ ଜଣକ ଭାରତୀୟ ନାଗରିକ ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ନାମ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛର (Captain Smit Machchhar)। ଦୁବାଇରୁ ଇସ୍ରାଏଲର ତେଲ୍ ଅଭିଭ୍ ଯାଉଥିବା ବିମାନରେ ତାଙ୍କ ଓମାନୀ ସହ-ପାଇଲଟ୍ ବିମାନର ନିୟନ୍ତ୍ରଣ ଛଡ଼ାଇ ନେଇ ତାହାକୁ କ୍ରାସ୍ କରାଇବାକୁ ଚେଷ୍ଟା କରୁଥିବା ବେଳେ କ୍ୟାପ୍ଟେନ୍ ମଚ୍ଛର ନିଜ ଜୀବନକୁ ବାଜି ଲଗାଇ ତାହାକୁ ଅଟକାଇଥିଲେ। ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି।
କକ୍ପିଟ୍ରେ ରକ୍ତାକ୍ତ ସଂଘର୍ଷ
ପ୍ରତ୍ୟକ୍ଷଦର୍ଶୀ ଏବଂ ସରକାରୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନ ଉଡ଼ାଣ ଭରିବା ପରେ କକ୍ପିଟ୍ ଭିତରେ ସହ-ପାଇଲଟ୍ ଜଣକ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କ ଉପରକୁ ବାରମ୍ବାର ଛୁରାମାଡ଼ କରିଥିଲା। ପ୍ରଚୁର ରକ୍ତସ୍ରାବ ସତ୍ତ୍ୱେ କ୍ୟାପ୍ଟେନ୍ ମଚ୍ଛର ସାହସ ହରାଇ ନ ଥିଲେ। ସେ ସହ-ପାଇଲଟ୍କୁ ବିମାନର ନିୟନ୍ତ୍ରଣ ନେବାକୁ ଦେଇ ନ ଥିଲେ ଏବଂ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ମଧ୍ୟ ବିମାନଟିକୁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ।