ଇରାନର ଜବାବୀ ଆକ୍ରମଣରେ ପ୍ରାୟ ୧୦୦ ସୈନ୍ୟ ଆହତ,ଟ୍ରମ୍ପ ନେବେ ପ୍ରତିଶୋଧ
ଇରାନର ଜବାବୀ ଆକ୍ରମଣରେ ପ୍ରାୟ ୧୦୦ ସୈନ୍ୟ ଆହତ ହୋଇଥିବା ଶେଷରେ ମାନିଛି ଆମେରିକା। ପେଣ୍ଟାଗନ ମୁଖପାତ୍ର ସୀନ୍ ପାର୍ନେଲ କହିଛନ୍ତି, ଜୁଲାଇ ୭ ପରେ ହୋଇଥିବା ଆକ୍ରମଣରେ ଏହି ସୈନ୍ୟ ମାନେ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୯୬% ସୈନ୍ୟ ଆରୋଗ୍ୟ ହୋଇ ଯୁଦ୍ଧଭୂମିକୁ ଫେରିଆସିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଅଧିକାଂଶ ସୈନ୍ୟଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଖବରର ଜବାବ ଦେଇ ପେଣ୍ଟାଗନ ମୁଖପାତ୍ର ମଙ୍ଗଳବାର ଏହା କହିଛନ୍ତି। ଇରାନୀ ଆକ୍ରମଣରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ ତଥ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ) ସାର୍ବଜନୀନ କରୁ ନ ଥିବା ଏହି ରିପୋର୍ଟରେ ଦର୍ଶାଯାଇଥିଲା।
ଯାହାକୁ ନେଇ ପାର୍ନେଲ କହିଛନ୍ତି, ଜାଶିଶୁଣି ବିଳମ୍ବରେ ତଥ୍ୟ ପ୍ରକାଶ କରାଯାଇଛି। ସୈନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସେ ସଫେଇ ଦେଇଛନ୍ତି। ଅଲ୍ ଜଜିରା ରିପୋର୍ଟ ମୁତାବକ, ଚଳିତବର୍ଷ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଇରାନ ଯୁଦ୍ଧରେ ଅଦ୍ୟାବଧି ୧୭ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି । ୪୩୦ରୁ ଅଧିକ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ ଆମେରିକାର ହମଲା ଯୋଗୁ ହୋଇଥିବା କ୍ଷତି ବାବଦରେ ଇରାନୀ ଅଧିକାରୀ କହିଛନ୍ତି, ଚଳିତମାସ ଆରମ୍ଭ ହୋଇଥିବା ଆମେରିକୀୟ ଆକ୍ରମଣରେ ଏ ପର୍ଯ୍ୟନ୍ତ ଅନ୍ୟୁନ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ୫୧୭ ଜଣ ଆହତ ହୋଇଛନ୍ତି। ତେବେ ଭିଭିଭୂମି କ୍ଷୟକ୍ଷତି ବାବଦରେ ଇରାନ କୌଣସି ସୂଚନା ଦେଇନାହିଁ।