ବଙ୍ଗୋପସାଗରରେ ଆସୁଛି ଦୁଇଟି ଲଘୁଚାପ,ଆସନ୍ତା କାଲି ଠୁ ବର୍ଷା

ବଙ୍ଗୋପସାଗରରେ ଆଗକୁ ଆହୁରି ଦୁଇଟି ଲଘୁଚାପ ଆସୁଛି। ଆସନ୍ତା ୯ ବା ୧୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୦ ଓ ୧୧ ତାରିଖ ବେଳକୁ ଏହା ଲଘୁଚାପ ହେବ। ଏହା ପ୍ରଭାବରେ ୯ ତାରିଖରୁ ଉତ୍ତର ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବ । ୧୭ରୁ ୨୦ ତାରିଖ ଭିତରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହୋଇପାରେ। ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି।

ସେ କହିଛନ୍ତି, ୧୧ ତାରିଖ ସୁଦ୍ଧା ପ୍ରଥମ ଲଘୁଚାପ ହେବ। ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଏବଂ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଧିକ। ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରୂପ ନେଇପାରେ। କିନ୍ତୁ ଅବପାତ ହେବାର ସମ୍ଭାବନା କମ୍। ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ କେନ୍ଦ୍ରୀୟ ଭାରତ ଆଡ଼କୁ ଗତି କରିପାରେ।

ଏହି ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ନିମ୍ନଚାପ ରେଖା ସକ୍ରିୟ କ୍ରିୟ ଅଛି। ବଙ୍ଗୋପସାଗରରୁ ପ୍ରଚୁର ଜଳୀୟବାଷ୍ପ ଆସୁଛି। ତଳ ଓ ମଧ୍ୟ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ସ୍ଥିତି ଅନୁକୂଳ ରହିଛି। ଏହା ପ୍ରଭାବରେ ୯ରୁ ବର୍ଷା ବଢ଼ିବ। ୧୦ ଓ ୧୨ ତାରିଖ ବେଳକୁ ଅଧିକ ବର୍ଷା ହେବ। ପ୍ରଥମେ ଉତ୍ତର ଓଡ଼ିଶା ଓ ପରେ ଉପକୂଳ, ମଧ୍ଯ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିପାରେ। ୧୪ ତାରିଖ ବେଳକୁ ଏହା ସ୍ଥଳଭାଗକୁ ପଳାଇବା ଯୋଗୁ ରାଜ୍ୟରେ ବର୍ଷା ଧୀରେ ଧୀରେ କମିପାରେ।

୧୭ ତାରିଖ ବେଳକୁ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂଷ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଶକ୍ତିଶାଳୀ ହେଲେ ଆଉ ଏକ ଲଘୁଚାପ ହେବ। ଏହା ପ୍ରଭାବରେ ୧୯ରୁ ୨୧ ତାରିଖ ବେଳକୁ ବର୍ଷା ବଢ଼ିପାରେ। ଇସିଏମଡବ୍ଲୁଏଫ୍, ଇପିଏସ୍, ଜିଏଫଏସ ଓ ଜିଇଏଫଏସ୍ ଭଳି ବିଶ୍ୱସ୍ତରୀୟ ପାଣିପାଗ ମଡେଲକୁ ନେଇ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ନେଇ ସେ ପୂର୍ବାନୁମାନ କରିଛନ୍ତି। ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ଜଳସେଚନ କରିବାର ଆବଶ୍ୟକ ନାହିଁ। ପ୍ରବଳ ବର୍ଷା ପୂର୍ବରୁ ୟୁରିଆ, ଅନ୍ୟ ସାର, ଅଣୁସାର ଓ କୀଟନାଶକ ପ୍ରୟୋଗ ଏଡ଼ାନ୍ତୁ । ଧାନ, ଡାଲି, ମକା, ବାଦାମ ଓ ପନିପରିବା ଜମିରୁ ଅତିରିକ୍ତ ପାଣି ବାହାର କରନ୍ତୁ।

Leave a comment