୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି

ଆସନ୍ତା ତିନି ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତଥାପି ତାତି ୪୦ ଡିଗ୍ରୀ ତଳେ ରହିବ ବୋଲି ଆକଳନ ରହିଛି ।

ଶନିବାର ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିପାରେ । ବାକି ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ । ୧୦ ତାରିଖରେ କେବଳ ବୌଦ୍ଧକୁ ଛାଡ଼ି ବାକି ସବୁଠି ତାତି ୪୦ ଡିଗ୍ରୀ ତଳେ ରହିପାରେ । ୧୨ ତାରିଖ ଯାଏ ବି ଏଭଳି ସ୍ଥିତି ରହିବ ।

ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଅଛି । ୧୦ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ।

ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି। ଆସନ୍ତା ୧୩ରେ ଲଘୁଚାପ ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ ବିଭାବ ପକ୍ଷରୁ ଆକଳନ କରାଯାଇଛି।

Leave a comment