ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ଲଘୁଚାପ , ୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ

ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ଲଘୁଚାପ । ୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ । ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିଛି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଲଘୁଚାପଟି ସେହି ଦିଗରେ ଗତି ଜାରି ରଖିବା ସହ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେବ । ସେପ୍ଟେମ୍ବର ୨୧ ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାପରେ ସିଷ୍ଟମ ଆହୁରି ଘନୀଭୂତ ହୋଇ ସେପ୍ଟେମ୍ବର ୨୨ ସୁଦ୍ଧା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇପାରେ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ି ସେପ୍ଟେମ୍ବର ୨୩ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଏହା ଉପକୂଳ ଅତିକ୍ରମ କରିବ କି ନାହିଁ କିମ୍ବା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେନେଇ ଏହି ବୁଲେଟିନ୍ ରେ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ । ସିଷ୍ଟମଟି ବର୍ତ୍ତମାନ ଲଘୁଚାପ ରୂପରେ ରହିଛି । ଏହାକୁ ବାତ୍ୟା ଘୋଷଣା କରାଯାଇନାହିଁ । ପରବର୍ତ୍ତୀ IMD ବୁଲେଟିନ୍ ରେ ଏହାର ଶକ୍ତି ଓ ଗତିପଥ ଆହୁରି ସ୍ପଷ୍ଟ ହେବ ।

Leave a comment