ତାତିରେ ଫୁଟିବ ଅଧା ଓଡ଼ିଶା,ହୋଇପାରେ ନିଆଁ ବର୍ଷା
ତାତିରେ ଫୁଟିବ ଅଧା ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ବୁଧବାର ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଭବାନୀପାଟଣା, ବରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲାରେ ନିଆଁ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି।
ବୁଧବାର ଉପକୂଳ ଓଡ଼ିଶାରେ ବି ପ୍ରବଳ ଗରମ ଓ ଗୁଳୁଗୁଳି ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଏହି ସ୍ଥିତି ରହିବ। ୧୬ ତାରିଖରେ ତାତି ଆହୁରି ଭୟାନକ ଆଡ଼କୁ ଯାଇପାରେ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ। ଆଭ୍ୟନ୍ତରୀଣ ଓଡ଼ିଶା ଅନେକ ସ୍ଥାନରେ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହୋଇପାରେ। ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହି ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।୧୭ ଓ ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିପାରେ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବନି । ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୭ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଟିଟିଲାଗଡ଼ରେ ଆଜି ଦିନ ତାପମାତ୍ରା ସର୍ବାଧିକ ୪୧.୭ ଡିଗ୍ରୀ ରହିଥିଲା । ହୀରାକୁଦ ଓ ସମ୍ବଲପୁରରରେ ୪୧.୫, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୪୧, ବଲାଙ୍ଗୀରରେ ୪୦.୩, ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୩୭.୩ ଓ କଟକରେ ୩୭ ଡିଗ୍ରୀ ରହିଥିଲା।