ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ, ଏଥିରେ ପୁଣି ବାଜି ମାରିଛନ୍ତି ଛାତ୍ରୀ
ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ପୁଣି ବାଜି ମାରିଛନ୍ତି ଛାତ୍ରୀ । ପୁଅଙ୍କୁ ପଛରେ ପକାଇଲେ ଝିଅ । ଛାତ୍ରୀଙ୍କ ପାସ ହାର ୯୪.୯୯ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସହାର ୯୨.୬୦ ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ସଫଳତା ହାର ପ୍ରାୟ ୨.୩୯% ଅଧିକ ରହିଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSEର ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ (ଫ୍ରେଜ-୧) ଘୋଷଣା କରିଛି ।
ଚଳିତବର୍ଷ ମୋଟ ୯୩.୭୦ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଯାହା ଗତ କିଛି ବର୍ଷ ତୁଳନାରେ ସାମାନ୍ୟ ଅଧିକ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । CBSE ପକ୍ଷରୁ କୌଣସି ଅଫିସିଆଲ୍ ଟପ୍ପର ଲିଷ୍ଟ ବା ମେରିଟ୍ ଲିଷ୍ଟ ଜାରି କରାଯାଇ ନାହିଁ । ପିଲାଙ୍କ ମଧ୍ୟରେ ଅହେତୁକ ପ୍ରତିଯୋଗିତା ଓ ମାନସିକ ଚାପରୁ ଦୂରେଇ ରଖିବା ପାଇଁ ବୋର୍ଡ ୨୦୨୦ ମସିହାରୁ ଏହି ନୀତି ଆପଣାଇ ଆସୁଛି । ତେବେ ପ୍ରତି ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୦.୧% ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ‘ମେରିଟ୍ ସାର୍ଟିଫିକେଟ୍’ ପ୍ରଦାନ କରାଯିବ ।
ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ଫେବୃଆରୀ ୧୭ରୁ ମାର୍ଚ୍ଚ ୧୧ ମଧ୍ୟରେ ହୋଇଥିବା ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଅନେକ ସ୍କୁଲରୁ ଛାତ୍ରଛାତ୍ରୀମାନେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ସୂଚନା ରହିଛି । ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ୍ cbseresults.nic.in ବ୍ୟତୀତ DigiLocker ଏବଂ UMANG ଆପରୁ ନିଜର ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ । ଏହି ଡିଜିଟାଲ୍ ଦସ୍ତାବିଜ ସବୁ ପ୍ରକାର ଆଡମିଶନ ପାଇଁ ବୈଧ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନେ ଏବେ ନିଜ ପସନ୍ଦର ବିଷୟ ଯଥା ବିଜ୍ଞାନ, ବାଣିଜ୍ୟ କିମ୍ବା କଳା ବିଭାଗରେ ଆଡମିଶନ କରିପାରିବେ । ଯେଉଁମାନଙ୍କର ନମ୍ବର କମ୍ ରହିଛି କିମ୍ବା ଯେଉଁମାନେ ପାସ୍ କରିନାହାନ୍ତି, ସେମାନଙ୍କ ପାଇଁ ବୋର୍ଡ ଖୁବଶୀଘ୍ର କମ୍ପାର୍ଟମେଣ୍ଟାଲ୍ ପରୀକ୍ଷା ଓ ପୁନଃ-ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।