ତାତିରେ ଲାଗିଲା ବ୍ରେକ୍ , ରାଜଧାନୀରେ ସଂଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ରାଜଧାନୀରେ ସଂଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିଲା । ସନ୍ଧ୍ୟାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା । ଆକାଶରେ କଳାହାଣ୍ଡିଆ ବାଦଲ ସହ ମାଡ଼ି ଆସିଲା ବର୍ଷା ପବନ । ଗତ କିଛି ଦିନ ଧରି ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । କିଛି ଦିନ ପରେ ତାତିରେ ଲାଗିଲା ବ୍ରେକ୍। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ। କମିଲା ଗରମ ଓ ଗୁଳୁଗୁଳି। ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଅନୁଭୂତ ହେଉଛି।
ଆସନ୍ତା ୨ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ସହରରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ପଡ଼ିବା ସମ୍ଭାବନା ରହିଛି। ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ଝଟକା ଦେଇ ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି । ବର୍ଷା ପରେ ଟ୍ରାଫିକ ଜାମ ଅବସ୍ଥା ।
ସେପଟେ ଜଳୁଛି ପଶ୍ଚିମ ଓଡିଶା । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ୪୩.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଝାରସୁଗୁଡ଼ାରେ ଗତକାଲି ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୮ଡିଗ୍ରୀ ମଧ୍ୟରେ ରହୁଛି । ଆସନ୍ତାକାଲି ବର୍ଷା ନେଇ ମୟୂରଭଞ୍ଜ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।