ପ୍ଲେ-ଅଫ୍ ରୁ ଏକପ୍ରକାର ବିଦା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସକୁ ଶନି ଦଶା । ୨୪୩ ରନ କରି ବି ହାରିଲା ମୁମ୍ବାଇ । ପ୍ଲେ-ଅଫ୍ ରାସ୍ତା ଧିରେ ଧିରେ ସଫା ହେବାକୁ ଲାଗିଲାଣି । ତେବେ ବୁଧବାର ଖେଳାଯାଇଥିବା ଏକ ମୁକାବିଲାରେ ୬ ଓ୍ୱିକେଟରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୨୪୩ ରନ୍ କରିଥିଲେ ମଧ୍ୟ ସନ୍ ରାଇଜର୍ସ ହାଇଦ୍ରାବାଦ ବାଜି ମାରିନେଇଛି । ପରାଜୟ ପରେ ମୁମ୍ବାଇ ପ୍ଲେ-ଅଫ୍ ରୁ ଏକପ୍ରକାର ବିଦା ହୋଇଯାଇଛି । ଦଳ ପାଇଁ ଏବେ ପ୍ଲେ-ଅଫ୍ ରେ ସ୍ଥାନ ପକ୍କା କରିବା ଅତି କଷ୍ଟକର । ଦଳ ଏବେସୁଦ୍ଧା ୮ଟି ମ୍ୟାଚ୍ ଖେଳି ୪ ପଏଣ୍ଟ୍ ପାଇଛି । କିନ୍ତୁ ଏବେବି ଦଳ ପାଖରେ ସାମାନ୍ୟ ଆଶା ରହିଛି । ଯଦି ଦଳ ବଳକା ୬ଟି ମୁକାବିଲାରେ ବିଜୟୀ ହୁଏ ତେବେ ପ୍ଲେ-ଅଫରେ ପ୍ରବେଶ କରିପାରେ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ । ଦଳ ପକ୍ଷରୁ ରିୟାନ୍ ରିକେଲଟନ୍ ବିସ୍ଫୋରକ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ସେ ୧୨୩ ରନ୍ ର ପାଳି ଖେଳିଥିଲେ । ଫଳରେ ସ୍କୋର୍ ୨୦ ଓଭରରେ ୨୪୩ ରନ୍ ଛୁଇଁଥିଲା । କିନ୍ତୁ ଟ୍ରାଭିସ୍ ହେଡ୍ ଏବଂ ହେନରିକ୍ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏସଆରଏଚ୍ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

Leave a comment