ଟାଇଁ ଟାଇଁ ଖରା , ତାତିରେ ଜଳୁଛି ଓଡ଼ିଶା
ଟାଇଁ ଟାଇଁ ଖରା । ତାତିରେ ଜଳୁଛି ଓଡ଼ିଶା । ଆଗକୁ ଆହୁରି ଜଳିବ । ୪୩ ପାର କଲାଣି ପାରଦ । ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଟିଟିଲାଗଡ଼ ପାଲଟିଲାଣି ତତଲାଗଡ଼ । ଗତକାଲି ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟ ୧୦ଟି ସ୍ଥାନରେ ୪୦ ଉପରେ ରହିଛି ଦିନ ତାପମାତ୍ରା । ୨୨ ତାରିଖ ଯାଏ ନିସ୍ତାର ନାହିଁ । ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ।
ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏ ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ଯାଏ ରହିପାରେ । ୧୮ ଓ ୧୯ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ ।