ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, ୪୫ ଡିଗ୍ରୀ ଛୁଇଁବ ତାତି

ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ତତଲା ପବନର ଜ୍ୱାଳା ଅଣନିଶ୍ୱାସୀ କରିବ । ଝାରସୁଗୁଡ଼ାରୁ ବଲାଙ୍ଗୀର ଯାଏ ସମସ୍ତ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ଗରମ ପବନ (ଲୁ) ପ୍ରବାହିତ ହେବାର ଆଶଙ୍କା ଅଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ ଦେଇ ସତର୍କ କରାଇଛନ୍ତି ।

ମଙ୍ଗଳବାର ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ତାତି ୪୨ଡିଗ୍ରୀ ପାଖାପାଖି ରହିବ । ୨୪ ତାରିଖ ଯାଏ ଏଭଳି ସ୍ଥିତି ରହିବ । ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତି କମ୍ ରହିବ। ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ଏହି ସବୁ ଜିଲ୍ଲାରେ ତାପମାତ୍ରା ୩୬ ଡିଗ୍ରୀରୁ ୩୯ ଡିଗ୍ରୀ ଭିତରେ ରହିଲେ ମଧ୍ୟ କାଳବୈଶାଖୀ ଯୋଗୁ ବର୍ଷା ହୋଇପାରେ । ମଙ୍ଗଳବାର ବଜ୍ରପାତ ସହ ହାଲୁକା ବର୍ଷା ଆଶଙ୍କା ଅଛି । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ଭିତରେ ରହିବ । ଆକାଶ ନିର୍ମଳ ରହିବା ସହ ପ୍ରଖର ସୂର୍ଯ୍ୟକିରଣର ପ୍ରଭାବ ରହିବ। ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରୀରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ । କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟବାଷ୍ପ ଯୋଗୁ ଆର୍ଦ୍ରତା ଅଧିକ ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭବ ହେବ । ୨୧ ତାରିଖ ପରେ କାଳବୈଶାଖୀର ପ୍ରଭାବ ବଢ଼ିବା ଯୋଗୁ ବର୍ଷା ହେବ ଓ ତାତି କମିବ ।ପ୍ରବଳ ଖରା ଓ ତାତି ପାଇଁ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଉଛି । ସୋମବାର ପୁରୀ, କଟକ ଓ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି । ଜଗତ୍ସିଂହପୁର ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ୯ଟା ଯାଏ ସ୍କୁଲ ଖୋଲା ରହିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave a comment