ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ।,ଶନିବାର ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେବ ଲଘୁଚାପ

ବଢିଲା ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଶନିବାର ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେବ ଲଘୁଚାପ । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେଲା ପରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ।

ଇସିଏମଡବଲୁଏଫ୍ ଆକଳନ କରିଛି,୨୮ ତାରିଖ ସକାଳେ ଆନ୍ଧ୍ରର କାକିନାଡାପାଖରେସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ। ଜିଏଫଏସ୍ ପୂର୍ବାନୁମାନ ହେଲା-ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସମୟରେ ୧୫୦ କିମି ବେଗରେ ପବନ ବହିବ। ସିଏମସି ମଡେଲ୍ ଅନୁସାରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ପାଖରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗକୁ ପଶିପାରେ। ଅର୍ଥାତ ଓଡ଼ିଶା ଉପରେ ରହିଛି ଭୀଷଣ ବାତ୍ୟାର ବିପଦ । ଏହା ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆଇଏମଡି ସମ୍ଭାବ୍ୟ ବାତ୍ୟାର ସଙ୍କେତ ଦେଖାଇଛି। ଆଇଏମଡି ବୁଲେଟିନରେ କୁହାଯାଇଛି,ଦକ୍ଷିଣ-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ । ଲଘୁଚାପରୂପ ନେଇ ଅଧିକ ଘନୀଭୂତ ହୋଇପାରେ।

ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ଘଣ୍ଟା ପ୍ରତି ୬୨ କିମିରୁ ଅଧିକ ପବନ ହେଲେ ତାହା ବାତ୍ୟା ଶ୍ରେଣୀଭୁକ୍ତ ହୋଇଥାଏ। ୮୮ କିମିରୁ ୧୧୭ କିମି ପବନ ହେଲେ ତାହା ଭୀଷଣ ବାତ୍ୟା କୁହାଯାଏ। ୧୧୮ କିମିରୁ ୧୬୫ କିମି ପବନ ବହିଲେ ଏହାକୁ ଅତି ଭୀଷଣ ବାତ୍ୟା କୁହାଯିବ। ଆଇଏମଡିର କହିବା କଥା ହେଲା, ସମ୍ଭାବ୍ୟ ସିଷ୍ଟମ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ୨୬ରୁ ୨୮ ଯାଏଁ ଛାଡିବନି ବର୍ଷା । ଆନ୍ଧ୍ରରେ ବି ୨୫ରୁ ୨୮ ତାରିଖ ଯାଏଁ ପାଗ ବଦଳିବା ସହ ବର୍ଷା ସମ୍ଭାବନା ରହିଛି। ୨୩ ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ରହିପାରେ ବୋଲି ଆଶଙ୍କା କରାଯାଉଛି ।

Leave a comment