ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରାଯାଇଛି। ଆସନ୍ତା ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେହିପରି ୨୦ ତାରିଖ ପାଇଁ ୯ଟି ଜିଲା ଯଥାକ୍ରମେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲାରେ ବର୍ଷା ଓ ଘଡ଼ଘଡି ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୧ ତାରିଖ ପାଇଁ ୧୬ଟି ଜିଲାକୁ ବିଜୁଳି ଓ ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସୋମବାର ୧୫ ଜିଲାକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ବଲାଙ୍ଗିର ଏବଂ ନୂଆପଡା ଜିଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହଥିବା କହିଛଇ ପାଣିବାଗ ବିଭାଗ।

ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ

କିଏ ସେ ବେଇମାନ

ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ। ସେ ଫେସବୁକ ପୋଷ୍ଟରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି।ଏହାର ପ୍ରତିବଦଳରେ ଲୋକେ ପାଇଲେ କଣ? ଗୋଟିଏ ଶୀତଳ ଭଣ୍ଡାର କି ମହାନଦୀରେ ଗୋଟିଏ ବନ୍ଧ କରିପାରିଲେନି। ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଆପଣ କଣ କଲେ? ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି କଣ କଲେ ବୋଲି ସେ ପ୍ରଷ୍ନ କରିଛନ୍ତି। ଆପଣ ଯାହା କରିଥିଲେ, ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ ବୋଲି ସେ କହିଛନ୍ତି।

ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ରାଜ୍ୟକୁ ଏବେ ବର୍ଷା ଭୟ ନାହିଁ। ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ବାକି ସମସ୍ତ ଜିଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାୟଗଡ଼ା ଓ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ଆରବସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ରହିଛି। ଏହା ପ୍ରଭାବରେ ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ସିକିମ୍‌, ବିହାର ଏବଂ ଉତ୍ତର-ପୂର୍ବ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ ଜିରୋ

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ବିଜେପି ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ ।  ଆୟୋଜିତ ଏକ ସଭାରେ  ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି ।  ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ ଜିରୋ। ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇନାହାନ୍ତି। ରାଜ୍ୟରେ ବିକାଶ ପୂରା ବନ୍ଦ। ସେମାନେ ଗେମ୍‌ ଚେଞ୍ଜର ନୁହନ୍ତି, ନେମ୍‌ ଚେଞ୍ଜର। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ନୂଆପଡ଼ାବାସୀଙ୍କ ଉଦ୍ଦେଶ୍ୟରେ ନବୀନ ଆହୁରି କହିଛନ୍ତି, ଆପଣମାନଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ପ୍ରତିଶୋଧ ନେବା।

ନବୀନ ଆହୁରି କହିଛନ୍ତି “ଆପଣଙ୍କୁ ଭଲ ଭାବେ ଜଣାଅଛି, ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏଇ ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ କିନ୍ତୁ ଜିରୋ । ଆପଣ କୁହନ୍ତୁ, ଆପଣଙ୍କୁ ତିନି ଶହ ୟୁନିଟ୍ ମାଗଣା ବିଜୁଳି ମିଳିଛି କି? ସବୁ ବୁଢ଼ା ବୁଢ଼ୀଙ୍କୁ ୩ ହଜାର ୫ ଶହ ଟଙ୍କା ପେନସନ୍ ମିଳିଛି କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଛି କି?”,ନୂଆପଡ଼ାର ପ୍ରଚାର ମୈଦାନରୁ କିଛି ଏଭଳି କଥା କହିବା ସହ ବର୍ତ୍ତମାନର ବିଜେପି ସରକାରକୁ ତୀର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଉ ପ୍ରଚାର ମୈଦାନର ମଞ୍ଚ ଉପରୁ ନବୀନ ମାରିଛନ୍ତି ସିଧା ତୀର । କହିଛନ୍ତି, ବିଜୁ ଜନତା ଦଳର ନେତା ତଥା ଆପଣମାନଙ୍କର ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆମ ଭିତରେ ଆଉ ନାହାଁନ୍ତି । ବିଜୁ ବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହେଇଥିଲା । ବିଜୁ ଜନତା ଦଳ ସରକାର ସମୟରେ ରାଜୁ ଭାଇ ନୂଆପଡ଼ାର ବିକାଶ ପାଇଁ ମୋତେ ଯାହା ବି ଅନୁରୋଧ କରିଥିଲେ, ମୁଁ ସବୁ ପୂରା କରିଥିଲି । ହେଲେ ଆପଣମାନଙ୍କୁ ଭଲ ଭାବେ ଜଣାଅଛି ଯେ ଆପଣଙ୍କ ସହ ବିଜେଡ଼ି ସହ, ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।

ଏହାସହ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ ଜିରୋ । ଆପଣ କୁହନ୍ତୁ, ଆପଣଙ୍କୁ ତିନି ଶହ ୟୁନିଟ୍ ମାଗଣା ବିଜୁଳି ମିଳିଛି କି? ସବୁ ବୁଢ଼ା ବୁଢ଼ୀଙ୍କୁ ୩ ହଜାର ୫ ଶହ ଟଙ୍କା ପେନସନ୍ ମିଳିଛି କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଛି କି? କଟନୀ ଛଟନୀ ବନ୍ଦ ହେଲା କି? ଇଲେକ୍ସନ ସମୟରେ ବିଜେପି କହିଥିଲା ଯେ, ପ୍ରତି ପଞାୟତରେ ଶହେ ଯୁବକଙ୍କୁ ଚାକିରି ଦେବ, ଆପଣଙ୍କ ଗାଁରେ କେତେ ଯୁବକ ଚାକିରି ପାଇଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏହାସହ ମିଶନ ଶକ୍ତି ମାଆମାନଙ୍କୁ ଏବେ ଲୋନ୍ ମିଳୁଛି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ବର୍ତ୍ତମାନର ସରକାରକୁ ଟାର୍ଗେଟ୍ କରି ନବୀନ କହିଛନ୍ତି, ଏ ସରକାର କହୁଥିଲା ସେମାନେ ଗେମ୍ ଚେଞ୍ଜର କିନ୍ତୁ ସେମାନେ କେବଳ ନେମ୍ ଚେଞ୍ଜର । ନବୀନ ଶେଷରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ତାଙ୍କ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ମାଟିର ସେବା କରିବେ ବୋଲି କହିଥିଲେ

ବିଜେଡିକୁ ଜୋରଦାର୍‌ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ବିଜେଡିକୁ ଜୋରଦାର୍‌ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଏ ନେଇ ସେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏବଂ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ରେ ମନମୋହନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଅମର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡି ଦେଇଛନ୍ତି। ଅର୍ଥାତ୍ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି।

ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ପଦ୍ମ ଧରିଛନ୍ତି। ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର କେତେକ ପ୍ରମୁଖ ବିଜେଡି ନେତା ପଦ୍ମ ଧରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ  ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ। ସେହିପରି ଏହି ସେଲ୍‌ର ସଦସ୍ୟ ଭାବେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ‌ଶ୍ବେତା ସ୍ନିଗ୍ଧା ମିଶ୍ର ଏବଂ ପ୍ରସନଜିତ୍‌ ପତିଙ୍କୁ ଶ୍ରୀ ପଟ୍ଟନାୟକ ମନୋନୀତ କରିଥିଲେ।

୨୦୧୯ରେ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ୨୦୧୯ରେ ରାଜ୍ୟସଭାକୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।

ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର

ନାଆଁ ନ ନେଇ ଇସାରାରେ ପୁଣି ଭି.କେ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ବହୁଚର୍ଚ୍ଚିତା ଶ୍ରୀମୟୀ ମିଶ୍ର। ଏଥର ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ବି ଧୋଇଛନ୍ତି ସେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯିବା ପୂର୍ବରୁ ଆଜି ଏହି ବାଣଛାଡ଼ି ବିଜେଡିକୁ ଘାଇଲା କରିଛନ୍ତି ଶ୍ରୀମୟୀ। ସେ ନିଜର ଫେସବୁକ୍‌ରେ ଲେଖିଛନ୍ତି, Titanic କୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ବସ୍ତରୀୟ ଯୋଜନା*। ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ।କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ।ଅବଶ୍ୟ ବିଭାଗବିହୀନ ନାନୀ ସୁଭଦ୍ରା ମାଆ ମାନଙ୍କୁ ଛୁଇଁ ପାରୁନାହାନ୍ତି। କିନ୍ତୁ ନିର୍ବାଚନ ପରେ କୁଆଡେ ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି ବୋଲି ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ ଅଛନ୍ତି। ହସ୍ପିଟାଲରୁ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏହି ଚାଟୁକାର ବରିଷ୍ଠ ନେତାମାନେ, ଶକ୍ତିନାନୀଙ୍କ ଚାଟଶାଳୀରେ tuition ହେଉଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ।ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ଅବଶ୍ୟ ନବୀନବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ?ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା। ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ’ଣ ଅଣଓଡିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି।ନିଜ ହାକିମାତିକୁ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଆକ୍ରୋଶ ରଖି ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ରାଜନେତାଙ୍କୁ ଅପରାଧୀ ସଜାଇ ଜେଲ୍ ପଠାଇଥିବା ଆତ୍ମଘୋଷିତ ସର୍ବେସର୍ବା ଏବେ ନିଜର କଳା କାରନାମା ଖୋଲିଯିବା ଭୟରେ ଗୋଟିଏ ରାଜନୈତିକ ଦଳକୁ ବାଜି ଲଗାଇ ଦେଇଛନ୍ତି।
ଗୁରୁଙ୍କ ଦ୍ଵାରା ଯେଉଁ ଅଧ୍ୟାପକଙ୍କୁ କଷଟି ପଥରରେ ଚୟନ କରି ରାଜନୀତିରେ ସାମିଲ ସହ ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ ରାଜନୀତିର ମଙ୍ଗ ଧରିବାର ସୁଯୋଗ ଦିଆଯାଇଥିଲା , ତାଙ୍କୁ ଏହି ଆତ୍ମଘୋଷିତ ଶିଷ୍ୟ କ୍ଷମତାର ଦୁରୂପଯୋଗ କରି କେବଳ ଅପରାଧୀ ସଜାଇ ଜେଲ୍ ପଠାଇ ନଥିଲେ, ତାଙ୍କର ଏକମାତ୍ର ଝିଅର ସ୍ବପ୍ନର ପରିବାରରେ ବି ନିଆଁ ଲଗାଇ ଦେଇଥିଲେ। ଭଣ୍ଡ ସନ୍ୟାସୀଙ୍କ ଏହି ସବୁ କୁକର୍ମରେ ଯିଏ ସେତେବେଳେ ସହଯୋଗୀ ଥିଲେ ଏବେ ତାଙ୍କ ଉପରେ ସମୟ ହିଁ ଦାଉ ସାଧିବ। ସମୟ ବଡ଼ ବଳବାନ।

ପ୍ରତ୍ୟେକ ଭଲମନ୍ଦ କାର୍ଯ୍ୟ ଯାହା ଆପଣ କରନ୍ତି, ତାହା ସେହି ହିସାବରେ ଆପଣଙ୍କ ନିକଟକୁ ଫେରିଆସେ। ଏହା ପ୍ରକୃତିର ନିୟମ।
ଅଘୋଷିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଏବେ ଯେଉଁମାନେ ବିକ୍ଷୋଭ-ପ୍ରତିବାଦ କରୁଛନ୍ତି, ଟିକେ ନିଜର ବିବେକକୁ ପଚାରନ୍ତୁ, ସେମାନେ କ’ଣ ଆଇନରୁ ଊର୍ଦ୍ଧ୍ବରେ କି?
ଯିଏ ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ନିର୍ମାତାଙ୍କ ଭରସା ବଜାୟ ରହୁ। ଅହଙ୍କାରରେ ଜର୍ଜରିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶର ଯୁକ୍ତିଯୁକ୍ତ ପ୍ରତିବାଦର ସାମର୍ଥ୍ୟ ଭଗବାନ ଆପଣମାନଙ୍କୁ ଦିଅନ୍ତୁ।