ବର୍ଷା ଋତୁରେ ଘରେ ଫଙ୍ଗସ୍ ସମସ୍ୟା ସ୍ୱାସ୍ଥ୍ୟ ପାଇଁ ବିପଦ
ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ବଢ଼ିବା ସହ ଘରେ ଫଙ୍ଗସ୍ ସମସ୍ୟା ମଧ୍ୟ ବଢ଼ିଥାଏ। ଲଗାତାର ବର୍ଷା, କମ୍ ସୂର୍ଯ୍ୟକିରଣ, ଘରେ ବାୟୁ ଚଳାଚଳର ଅଭାବ ଏବଂ ଛାତ କିମ୍ବା ପାଇପ୍ରୁ ପାଣି ଲିକେଜ୍ ଯୋଗୁଁ କାନ୍ଥ, ଛାତ ଓ ଆସବାବପତ୍ରରେ ଆର୍ଦ୍ରତା ଜମିଥାଏ। ଦୀର୍ଘ ସମୟ ଧରି ଓଦା ରହିଲେ ଫଙ୍ଗସ୍ ବଢ଼ିବା ଆରମ୍ଭ କରେ।
ଆର୍ଦ୍ରତା ଓ ଫଙ୍ଗସ୍ କ’ଣ?
ଆର୍ଦ୍ରତା: କାନ୍ଥ, ଛାତ, ଚଟାଣ କିମ୍ବା ଆସବାବପତ୍ରରେ ଅତ୍ୟଧିକ ନରମ ଓଦା ରହିବାକୁ ଆର୍ଦ୍ରତା କୁହାଯାଏ।
ଫଙ୍ଗସ୍: ଏହା ଏକ ପ୍ରକାର ସୂକ୍ଷ୍ମ ଜୀବ, ଯାହା ଆର୍ଦ୍ର, ଅନ୍ଧାର ଓ ବନ୍ଦ ସ୍ଥାନରେ ଦ୍ରୁତ ବଢ଼େ। ଏହା କଳା, ସବୁଜ କିମ୍ବା ଧଳା ଦାଗ ଆକାରରେ ଦେଖାଯାଏ।
ଫଙ୍ଗସ୍ ସାଧାରଣତଃ ବାଥରୁମ୍, ରୋଷେଇ ଘର, ଷ୍ଟୋର୍ ରୁମ୍, କାନ୍ଥର କୋଣ, ଝରକା-କବାଟ ଚାରିପାଖ ଏବଂ ଆଲମାରୀ ପଛପଟ ଭଳି ଆର୍ଦ୍ର ସ୍ଥାନରେ ଦେଖାଯାଏ। ଏହା କାନ୍ଥରେ କଳା ଦାଗ ସୃଷ୍ଟି କରିବା ସହ ରଙ୍ଗ ଖସିବା, ପ୍ଲାଷ୍ଟର ଦୁର୍ବଳ ହେବା, କାଠ ଆସବାବପତ୍ର ନଷ୍ଟ ହେବା ଏବଂ ଘରେ ଓଦା ଗନ୍ଧ ହେବାର କାରଣ ହୋଇପାରେ।
ସ୍ୱାସ୍ଥ୍ୟ ପାଇଁ ବିପଦ
ଘରର ଫଙ୍ଗସ୍ରୁ ନିର୍ଗତ ସୂକ୍ଷ୍ମ କଣିକା ବାୟୁରେ ମିଶି ଶ୍ୱାସ ସହ ଶରୀରକୁ ପ୍ରବେଶ କରିପାରେ। ଏହାର ପ୍ରଭାବରେ କେତେକ ଲୋକଙ୍କଠାରେ ଛିଙ୍କ, କାଶ, ନାକ ବନ୍ଦ, ଆଖି ଓ ଗଳାରେ ଜ୍ୱଳନ ଏବଂ ଆଲର୍ଜି ଭଳି ସମସ୍ୟା ଦେଖାଦେଇପାରେ। ଆସ୍ଥମା ଥିବା ବ୍ୟକ୍ତିଙ୍କଠାରେ ଲକ୍ଷଣ ଆହୁରି ବଢ଼ିପାରେ। ବିଶେଷଜ୍ଞଙ୍କ ମତରେ, ଘରକୁ ଶୁଖିଲା ଓ ବାୟୁ ଚଳାଚଳ ଯୁକ୍ତ ରଖିବା ହେଉଛି ଫଙ୍ଗସ୍ ନିୟନ୍ତ୍ରଣର ସବୁଠାରୁ ଭଲ ଉପାୟ। ଝରକା ଖୋଲି ରଖିବା, ବାଥରୁମ୍ ଓ ରୋଷେଇ ଘରରେ ଏଗ୍ଜଷ୍ଟ ଫ୍ୟାନ୍ ବ୍ୟବହାର କରିବା, ଘର ଭିତରେ ଓଦା ପୋଷାକ ନଶୁଖାଇବା ଏବଂ ଛାତ କିମ୍ବା ପାଇପ୍ର ଲିକେଜ୍ ତୁରନ୍ତ ମରାମତି କରିବା ଜରୁରୀ। ଆବଶ୍ୟକ ହେଲେ ଡିହ୍ୟୁମିଡିଫାୟର୍ କିମ୍ବା ୱାଟରପ୍ରୁଫିଂର ସହାୟତା ନିଆଯାଇପାରେ।କାନ୍ଥରେ ଅଳ୍ପ ଫଙ୍ଗସ୍ ଦେଖାଗଲେ ଉପଯୁକ୍ତ ସୁରକ୍ଷା ସାମଗ୍ରୀ ପିନ୍ଧି ସଫା କରିବା ସହ ଆର୍ଦ୍ରତାର ମୂଳ କାରଣ ଦୂର କରିବା ଆବଶ୍ୟକ। ଏହାସହ ଫଙ୍ଗସ୍ ସଂସ୍ପର୍ଶରେ ଆସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।