ପଦ୍ମପୁର ଉପନିର୍ବାଚନ; କିଏ ଜିତିବ ବାଜି

ବରଗଡ଼ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବ ବିଜେପି । ଏନଇ ବିଜେପିର ତୁଙ୍ଗ ନେତାମାନେ ପଦ୍ମପୁରରେ ଡେରା ପକାଇଲେଣି । ଦଳୀୟ ନେତା, କର୍ମୀ ମହଲରେ ଏବେ ବିଜୟ ପାଇଁ ରଣନୀତି ଚାଲିଛି । କଂଗ୍ରେସ ଦଳ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ଦେବାକୁ ଘୋଷଣା କରିଛି । କଂଗ୍ରେସ ମଧ୍ୟ ନିଜର ଭୋଟ ବ୍ୟାଙ୍କକୁ ଧରି ଆଗକୁ ବଢ଼ିବାକୁ ଟିମ ଘୋଷଣା ତିଆର କରିଛି । ବିଜେଡି, ବିଜେପି, କଂଗ୍ରେସ ଏହି ଆସନକୁ ଏବେ ଅକ୍ତିଆର କରିବାକୁ ଚାହୁଁଛନ୍ତି । ପଦ୍ମପୁର ଆସନରୁ ୧୯୮୦, ୧୯୮୫ ଓ ୨୦୦୪ ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହୋଇଥିଲେ ସତ୍ୟଭୂଷଣ । ତେଣୁ ତାଙ୍କୁ ଏଥର ପୁଣି ଟିକେଟ ଦେଇଛି କଂଗ୍ରେସ ।

୧୯୯୦ ଓ ୧୯୯୫ ମସିହାରେ ଜନତାଦଳ ପ୍ରାର୍ଥୀ ଦିବଙ୍ଗତ ବିଜେଡି ନେତା ବିଜୟ ରଞ୍ଜନ ସିଂହବରିହା ଏହି ଆସନରୁ ବିଜୟ ହୋଇଥିଲେ । ୨୦୦୦ରେ ଶ୍ରୀ ବରିହା ୩ୟ ଥର ପାଇଁ ବିଧାୟକ  ନିର୍ବାଚିତ ହୋଇଥିଲେ । ୨୦୦୯ରେ ଶ୍ରୀ ବରିହା ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ସତ୍ୟଭୂଷଣ ପୁଣି ୨ୟ ସ୍ଥାନକୁ ଖସିଆସିଥିଲେ । ହେଲେ ୨୦୧୪ ନିର୍ବାଚନରେ ଶ୍ରୀ ସାହୁ ଦଳର ପ୍ରାର୍ଥୀ ହୋଇନଥିଲେ । ପ୍ରଦୀପ ପୁରୋହିତ ପ୍ରଥମଥର ପାଇଁ ବିଜେପି ଟିକେଟରୁ ବିଜୟର ସ୍ୱାଦ ଚାଖିଥିଲେ 2014 ମସିହାରେ । ସେହିକ୍ରମରେ ୨୦୧୯ ନିର୍ବାଚନରେ ଶ୍ରୀ ବରିହା ପୁଣି ଥରେ ବିଜୟଲାଭ କରି ଶାସନକୁ ଫେରିଥିଲେ ହେଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସାହୁ ତୃତୀୟ ସ୍ଥାନକୁ ଖସି ଆସିଥିଲେ । ଏବେ ହେବାକୁ ଯାଉଥିବା ୨୦୨୨ ଉପନିର୍ବାଚନରେ ବିଜେଡି ଶ୍ରୀ ବରିହାଙ୍କ ପରିବାରର ଜଣଙ୍କୁ ଟିକେଟ ଦେବାର ଯଥେଷ୍ଟ ସଂଭାବନା ରହିଛି । ଏଥର ଲଢ଼େଇ ତ୍ରିମୁଖୀ ହେବ କି ବିଜେପି -ବିଜେଡି ମଧ୍ୟରେ ହେବ ତାହା ନିର୍ବାଚନ ପରେ ଜଣାପଡିବ ।