କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା : ମୃତ ବ୍ୟକ୍ତିଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ଭୁବନେଶ୍ବର : କୁହାଯାଏ ମୃତ୍ୟୁ କାହାକୁ କେଉଁଠାରେ ଅପେକ୍ଷା କରିଛି କେହି ଜାଣନ୍ତି ନାହିଁ । ଆଜି ସେହିଭଳି ଘଟଣା ଘଟିଛି ଯାଜପୁର କୋରେଇ ରେଳଷ୍ଟେସନରେ । ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ପ୍ଲାଟଫର୍ମ ଉପରେ ମାଲବାହୀ ଟ୍ରେନ ଓଲଟି ପଡି ଜୀବନ ଯାଇଛି । ଏହାକୁ ନେଇ ସାଧାରଣରେ ଦୁଃଖପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା କୋରେଇରେ ସକାଳେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣା ପରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁମୁଖରେ ପଡ଼ିଥିବା ଯାତ୍ରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବ‌ାର କିମ୍ବା ନିକଟତମ ସଂପର୍କୀୟଙ୍କୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିବା ‌ବେଳେ ରେଳ ବିଭାଗ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି। ଏଥିସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ କହିଛି ରେଳ ବିଭାଗ । ମାଲବାହୀ ଟ୍ରେନ ଷ୍ଟେସନ ଉପରେ ଓଲଟି ପଡିବାରୁ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଷ୍ଟେସନ ଦେଇ ଯାଉଥିବା  ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା । ଏହାଫଳରେ ପ୍ଲାଟଫର୍ମରେ ଅନ୍ୟ ଟ୍ରେନକୁ ଅପେକ୍ଷା କରିଥିବା  ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଏମାନେ ସମସ୍ତେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଯାତ୍ରା କରିବାକୁ  ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ।

କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ପୂରା ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି।
ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ରହିଛି ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ –ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି । ଅନ୍ୟପକ୍ଷରେ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।