ଦଳିଦେଲା ଦନ୍ତା: ବାପା ମାଆଙ୍କ ଆଗରେ ଦୁଇ ଛୁଆଙ୍କ ମୃତ୍ୟୁ

ଝାରସୁଗୁଡା: ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଦଳିଦେଲା ଦୁଇ ଛୁଆଙ୍କୁ । ପିତା ମାତାଙ୍କ ଆଗରେ ଦୁଇ ନାବାଳକ ପୁଅଙ୍କୁ ହାତୀ ଦଳିଦେଇ ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ାରେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ଶ୍ରମିକ ପରିବାର ଇଟାଭାଟିରେ କାମ କରିବାକୁ ଛତିଶଗଡ଼ ରାଜ୍ୟର ଶକ୍ତି ଜିଲ୍ଲା ଅଞ୍ଚଳରୁ ଗତ ଦୁଇଦିନ ତଳେ ଆସିଥିଲେ। ତେବେ ବାଗଡିହି ଅଞ୍ଚଳରେ ବର୍ତ୍ତମାନ ୭ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ବନ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗ୍ରାମ ନିକଟରେ ଥିବା ଏକ ଇଟାଭାଟିରେ ହାତୀ ଆକ୍ରମଣରେରେ ଏହି ଦୁଇ ଶିଶୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପିତାମାତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇ ଶିଶୁ ଦୁଇ ଭାଇ ହୋଇଥିବା ବେଳେ ସେମାନଙ୍କ ନାମ ଧନଞ୍ଜୟ ସତନମୀ(୯) ଏବଂ ଅଭୟ ସତନମୀ(୧୧) ବୋଲି ଜଣାଯାଇଛି।