ସରୁନି ବିଏମ୍ସି ନୂଆ ମୁଖ୍ୟାଳୟ ନିର୍ମାଣ
ମେଟ୍ରୋ ଟିଭି ଓଡିଶା (୪.୭.୨୦୨୨)
ଆରମ୍ଭ ହେବାର ଦୁଇବର୍ଷ ପରେ ବି ବହୁ ପ୍ରତୀକ୍ଷିତ ବିଏମ୍ସିର ନୂତନ ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି। ୨୦୧୯ ଜୁନ୍ରେ ସତ୍ୟନଗର ଶ୍ମଶାନ ସମ୍ମୁଖରେ ଏହି ବିଲ୍ଡିଂ ନିର୍ମାଣ ଆରମ୍ଭ ହୋଇଥିଲା। ଦୁଇବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୧ ଜୁନ୍ ଶେଷ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୭୩ କୋଟି ଟଙ୍କା ବଜେଟରେ ରାଜଧାନୀର ସବୁଠାରୁ ଆକର୍ଷଣୀୟ ସରକାରୀ କାର୍ଯ୍ୟାଳୟ ଭାବେ ଏହି ବିଲ୍ଡିଂ ନିର୍ମାଣ କରାଯାଉଛି। ଏଠାରେ ବିଏମ୍ସିର ନୂଆ ମୁଖ୍ୟାଳୟ ସହିତ ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍ସି) ନିର୍ମାଣ ମଧ୍ୟ ଚାଲିଛି। ତେବେ କାର୍ଯ୍ୟାଳୟର ଅଧିକାଂଶ କାର୍ଯ୍ୟ ସରି ଯାଇଥିବାବେଳେ ଏବେ କେବଳ ଇଣ୍ଟେରିୟର କାମ ଚାଲିଥିବା ସ୍ମାର୍ଟସିଟି ପକ୍ଷରୁ କୁହାଯାଉଛି। ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀମାନେ ସମୀକ୍ଷା କରୁଥିଲେ ମଧ୍ୟ ଇଣ୍ଟେରିୟର କାମ କେତେଦିନ ଲାଗିବ ଓ କେବେ ବିଲ୍ଡିଂର ଉଦ୍ଘାଟନ ହେବ ସେ ନେଇ ସୂଚନା ଦିଆଯାଉନାହିଁ। ତେଣୁ ଏଠାରେ ବିଏମ୍ସି କାର୍ଯ୍ୟାଳୟ କେବେ ଆରମ୍ଭ ହେବ ଏବଂ ଲୋକଙ୍କ ପାଦ ପଡ଼ିବ ତାହା ଅନିଶ୍ଚିତତାରେ ରହିଛି।ସୂଚନାଯୋଗ୍ୟ, ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂ ୪.୦୪ ଏକର ଜମିରେ ନିର୍ମାଣ ହେଉଛି। ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହିତ ଗ୍ରାଉଣ୍ଡ ଫ୍ଲୋର୍ରେ ବିଏମ୍ସି କାର୍ଯ୍ୟାଳୟ ରହିବ। ସେହିପରି ୪ର୍ଥ ମହଲାରେ ବିଏମ୍ସି କମିଶନରଙ୍କ ଚାମ୍ବର ରହିବ ବୋଲି ସୂଚନା ଦିଆଯାଇଛି। କୋଠାକୁ ଆକର୍ଷଣୀୟ କରିବା ପାଇଁ ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ବଡ଼ କନ୍ଫରେନ୍ସ ହଲ୍, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍ ଆଦି ମଧ୍ୟ ରହିବ। ସେହିପରି ଆଇସିଓଏମ୍ସି କାର୍ଯ୍ୟାଳୟରୁ ପୂରା ଭୁବନେଶ୍ୱର ଉପରେ ନଜର ରହିବ। ତତ୍କାଳୀନ ବିଏମ୍ସି କମିଶନର କ୍ରିଷନ କୁମାର ବହୁ ସ୍ଥାନରେ ଜାଗା ଚିହ୍ନଟ କରିବା ପରେ ଉପରୋକ୍ତ ସ୍ଥାନ ଚୂଡ଼ାନ୍ତ ହୋଇଥିଲା। ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବା ପରେ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କ୍ରିଷନ କୁମାର, ଶୁଭମ୍ ସକ୍ସେନା, ସମର୍ଥ ବର୍ମା, ପ୍ରେମଚନ୍ଦ୍ର ଚୌଧାରୀ, ସଞ୍ଜୟ କୁମାର ସିଂହଙ୍କୁ ମିଶାଇ ୫ଜଣ କମିଶନରଙ୍କ ବଦଳି ହୋଇଗଲେଣି।