ଭାରତରେ ହିଁ ତିଆରି ହେବ ସ୍ମାର୍ଟଫୋନ ର ପାର୍ଟ

ଭାରତରେ ଯେଉଁ ମୋବାଇଲ ଫୋନ ତିଆରି କରାଯାଉଛି ବୋଲି କୁହାଯାଉଛି ପ୍ରକୃତରେ ତାହା ତିଆରି କରାଯାଉ ନାହିଁ, ବରଂ ଆସେମ୍ବଲ(ପାର୍ଟସ୍-ପାର୍ଟସ୍ ଯୋଡ଼ି ତିଆରି କରିବ) କରାଯାଉଛି। ହେଲେ ଏଭଳି ଅଭିଯୋଗ ଆଣୁ ଶୁଣିବାକୁ ମିଳିବନି। ଏବେ ଭାରତରେ ହିଁ ତିଆରି ହେବ ସ୍ମାର୍ଟଫୋନ। କେନ୍ଦ୍ର ସରକାର ଏନେଇ ଯୋଜନା ଆରମ୍ଭ କରିଛନ୍ତି।

ପ୍ରକୃତରେ ସ୍ମାର୍ଟଫୋନ ତିଆରି କରିବା ପାଇଁ ଏହାର ପାର୍ଟ ସବୁ ବିଦେଶରୁ ଆସୁଥିଲା। ଭାରତରେ ଏହାକୁ ଯୋଡ଼ାଯାଇ ତିଆରି କରାଯାଉଥିଲା। ହେଲେ ଏବେ ମୋବାଇଲଫୋନ ପାର୍ଟ ଭାରତରେ ତିଆରି କରାଯିବ। ମେଡ୍ ଇନ ଇଣ୍ଡିଆ ଫୋନ୍ ଆଉ ଆସେମ୍ବଲ ଇନ ଇଣ୍ଡିଆ ନ ହୋଇ ପ୍ରକୃତ ପରିଚୟ ପାଇବ। ଏଥିପାଇଁ କେନ୍ଦ୍ର ସରକାର PLI (Production Linked Incentive) ଯୋଜନାର ଏକ ନୂଆ ଭର୍ଜନ, ଅର୍ଥାତ୍ PLI 2.0 ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଭାରତରେ ଯଥାସମ୍ଭବ ଅଧିକରୁ ଅଧିକ ମୋବାଇଲ ଫୋନ୍ ପାର୍ଟସ୍ ତିଆରି କରିବା, ଯାହା ଦ୍ଵାରା ବିଦେଶୀ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ନୂଆ ଯୋଜନାରେ ଅତି କମରେ ୫୫% ମୋବାଇଲ ଫୋନ୍ ପାର୍ଟସ୍ ଯେମିତି -ଡିସପ୍ଲେ ଆସେମ୍ବଲି, କ୍ୟାମେରା ମଡ୍ୟୁଲ୍ ଏବଂ ଚିପସେଟ୍ ଆଦି ଭାରତରେ ତିଆରି ହେବ ସେ ନେଇ ସରକାର ଜୋର ଦେଇଛନ୍ତି। ବର୍ତ୍ତମାନ କେବଳ ୧୮-୨୦% ମୋବାଇଲଫୋନ୍ ପାର୍ଟ ଭାରତରେ ତିଆରି କରାଯାଉଛି।

ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ, ସରକାର ଏହି ଯୋଜନାକୁ ୪୦ ହଜାର କୋଟି ଟଙ୍କାର ପୁରୁଣା ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚରିଂ ସ୍କିମ୍ (ECMS) ସହିତ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି।ଏଥିରେ ଡିସପ୍ଲେ, କ୍ୟାମେରା ମଡ୍ୟୁଲ୍, ଚିପସେଟ୍ ଏବଂ ଲି-ଆୟନ ବ୍ୟାଟେରୀ ଭଳି ଅତ୍ୟାବଶ୍ୟକ ଅଂଶଗୁଡ଼ିକର ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।

ଏଭଳି ମହତ୍ୱାକାଂକ୍ଷା ନେଇ ପ୍ରଥମେ ୨୦୨୦ ଏପ୍ରିଲରେ ୪୦,୯୯୫ କୋଟି ଟଙ୍କା ବ୍ୟୟବରାଦ ସହିତ PLI ଯୋଜନା ଆରମ୍ଭ ହୋଇଥିଲା। ଯାହାର ଲକ୍ଷ୍ୟ ଥିଲା ମୋବାଇଲ୍ ଫୋନରେ ଘରୋଇ ମୂଲ୍ୟ ବୃଦ୍ଧିକୁ(ଘରୋଇ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରି ମୋବାଇଲ ପ୍ରଡକ୍ସନ କରିବା) ୩୫-୪୦% ପର୍ଯ୍ୟନ୍ତ ବୃଦ୍ଧି କରିବା। ହେଲେ ଏହା ସେହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ସରକାରୀ ଆକଳନ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ବଡ଼ ଇଲେକ୍ଟ୍ରୋନିକ୍ସରେ ସ୍ଥାନୀୟ ମୂଲ୍ୟ ବୃଦ୍ଧି କେବଳ ମାତ୍ର ୧୮-୨୦% ହିଁ ହୋଇପାରିଲା। ଏବେ ସରକାର ଏହାକୁ ଆଗୁକୁ ବଢ଼ାଇବାକୁ ଚାହୁଁଛନ୍ତି।

 

Leave a comment