ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି ଜାଣିବା ଜରୁରୀ
ଆଜିଠୁ SIM କାର୍ଡ ନିୟମ କଡ଼ା । ନିର୍ଦ୍ଧାରିତ ସୀମା ପୂରଣ ହୋଇଥିଲେ ଆଉ ମିଳିବନି ନୂଆ କନେକ୍ସନ୍ । ଟେଲିକମ୍ କମ୍ପାନୀ କରିବେ ଯାଞ୍ଚ । ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି ଜାଣିବା ଜରୁରୀ । ଦେଶରେ ଜଣେ ବ୍ୟକ୍ତିଙ୍କ ନାଁରେ କେତୋଟି ମୋବାଇଲ୍ କନେକ୍ସନ୍ ରହିପାରିବ, ସେନେଇ ପୂର୍ବରୁ ଥିବା ସୀମାକୁ ଆଜି ଆହୁରି କଡ଼ାକଡ଼ି ଭାବେ ଲାଗୁ କରାଯାଉଛି । Department of Telecommunications (DoT) ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ଏନେଇ ଆବଶ୍ୟକ ବୈଷୟିକ ଓ ପ୍ରଶାସନିକ ବ୍ୟବସ୍ଥା କରିବାକୁ କହିଛି । ଅର୍ଥାତ୍ ଜଣେ ଗ୍ରାହକ ଅନ୍ୟ ଏକ ଟେଲିକମ୍ କମ୍ପାନୀରୁ SIM ନେଇ ସୀମା ଅତିକ୍ରମ କରିବା ମଧ୍ୟ ସହଜ ହେବ ନାହିଁ । ଦେଶର ସମସ୍ତ ଟେଲିକମ୍ ଅପରେଟର ଓ ସର୍ଭିସ୍ ଏରିଆରେ ତାଙ୍କ ନାଁରେ ଥିବା କନେକ୍ସନ୍ କୁ ମିଶାଇ ସୀମା ହିସାବ କରାଯିବ । ଦେଶର ଅଧିକାଂଶ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ନାଁରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରଖିପାରିବେ।
ଆଜିଠୁ ଏହାର ଯାଞ୍ଚ ଓ କାର୍ଯ୍ୟକାରିତାକୁ ଅଧିକ କଡ଼ା କରାଯାଉଛି । ଜମ୍ମୁ-କାଶ୍ମୀର, ଆସାମ ଓ ଉତ୍ତର-ପୂର୍ବାଞ୍ଚଳରେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୬ଟି ମୋବାଇଲ୍ କନେକ୍ସନ୍ ରହିପାରିବ। ଯଦି ଜଣେ ଗ୍ରାହକଙ୍କ ନାଁରେ ପୂର୍ବରୁ ସର୍ବାଧିକ ଅନୁମୋଦିତ କନେକ୍ସନ୍ ରହିଛି, ତେବେ ଆଉ ଏକ ନୂଆ SIM ପାଇଁ ଆବେଦନ କଲେ ଟେଲିକମ୍ କମ୍ପାନୀ ତାହା ଜାରି କରିପାରିବ ନାହିଁ । ଜଣେ ବ୍ୟକ୍ତିଙ୍କ ପାଖରେ ଭିନ୍ନ ଭିନ୍ନ ଟେଲିକମ୍ ଅପରେଟରଙ୍କ SIM ଥିଲେ ମଧ୍ୟ ସବୁକୁ ମିଶାଇ ମୋଟ କନେକ୍ସନ୍ ସଂଖ୍ୟା ହିସାବ କରାଯିବ। ସର୍ବାଧିକ SIM ସୀମାରେ ପହଞ୍ଚିଥିବା ଗ୍ରାହକଙ୍କ representative photograph DoTର Digital Intelligence Platform ରେ ଟେଲିକମ୍ କମ୍ପାନୀଙ୍କ ପାଇଁ ଉପଲବ୍ଧ କରାଯିବ । ଅପରେଟରମାନେ ଏହି ତଥ୍ୟକୁ ବ୍ୟବହାର କରି ଅତିରିକ୍ତ କନେକ୍ସନ୍ ନେବାକୁ ଉଦ୍ୟମ କରୁଥିବା ଗ୍ରାହକଙ୍କୁ ଚିହ୍ନଟ କରିବେ । ନୂଆ ବ୍ୟବସ୍ଥାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯାଞ୍ଚ post-facto ଆଧାରରେ ହୋଇପାରିବ । ଯଦି ନିର୍ଦ୍ଧାରିତ ସୀମା ଅତିକ୍ରମ କରି କୌଣସି କନେକ୍ସନ୍ ସକ୍ରିୟ ହୋଇଯାଏ, ତେବେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାହାକୁ ତୁରନ୍ତ ସସ୍ ପେଣ୍ଡ କରାଯିବ । ଟେଲିକମ୍ କମ୍ପାନୀଗୁଡ଼ିକୁ ନଭେମ୍ବର ୩୦ ସୁଦ୍ଧା real-time verification ବ୍ୟବସ୍ଥାକୁ ଯିବାକୁ କୁହାଯାଇଛି । ଏହା ହେଲେ SIM enrolment ଓ activation ସମୟରେ ହିଁ ଗ୍ରାହକ ସୀମା ଅତିକ୍ରମ କରୁଛନ୍ତି କି ନାହିଁ ଜଣାପଡ଼ିବ । ଜଣେ ବ୍ୟକ୍ତିଙ୍କ ପରିଚୟରେ ଅତ୍ୟଧିକ କିମ୍ବା ଅନଧିକୃତ SIM ଜାରି ହେବା ଉପରେ ରୋକ୍ ଲଗାଇବା ସହ ମୋବାଇଲ୍ କନେକ୍ସନ୍ ର ଦୁରୁପଯୋଗ ଓ ସାଇବର ଠକେଇ ରୋକିବା ଦିଗରେ ଏହି କଡ଼ା ଯାଞ୍ଚ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି ।