ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨)
ବଡ଼ ଦାଣ୍ଡରେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ରଥରେ ବଡ଼ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ତାଳଧ୍ୱଜ । ପ୍ରଥମେ ଗଜପତି ମହାରାଜା ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ । ପରେ ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଖା ଯିବା ପରେ ଭକ୍ତମାନେ ବଳଭଦ୍ରଙ୍କ ରଥକୁ ଟାଣିନେଇଛନ୍ତି । ରଥ ଟାଣିବା ସମୟରେ ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି । ଭୋରରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ

ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ । ପରେ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥରେ ବିଜେ କରିଥିଲେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି । ଏହାପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ଆରମ୍ଭ ହେବ । ଶେଷରେ ଗଡ଼ିବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।