ଗାଡ଼ି ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଖଣି ମାଫିଆ
ପଥର ମାଫିଆଙ୍କ ଦୌରାତ୍ମ୍ୟ । ଗାଡ଼ି ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଖଣି ମାଫିଆ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀବନ୍ଧରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ।
ଖବର ଅନୁଯାୟୀ, ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ। ମାଙ୍କଡ଼ା ପଥର ବୋଝେଇ ଗାଡ଼ିକୁ ଅଟକାଇ ପିସିଆର୍କୁ ଖବର ଦେଇଥିଲେ। ଏହାକୁ ନେଇ ଖଣି ମାଫିଆ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଖସି ପଳାଇଥିଲେ । କିନ୍ତୁ ମାଫିଆମାନେ କାବୁ କରିଥିବା ଯୁବକଙ୍କୁ ହାଣି ପକାଇଥିଲେ । ଏପିରିକି ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ, ବାମ ହାତ ସଂପୂର୍ଣ୍ଣ କାଟି ଦେଇଛନ୍ତି । ମୃତ ଯୁବକ ଜଣକ ହେଲେ ଶିଳ୍ପିନଗର ସାହିର ଅଜିତ୍ ସାହୁ ।
ସେପଟେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ପରିବାର ଏବଂ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଏବଂ କ୍ଷତିପୂରଣ ଦାବି ନେଇ ଅଡ଼ି ବସିଛନ୍ତି ଗାଁ ଲୋକେ । ନୟାଗଡ-ଭଞ୍ଜନଗର ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।