ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳର ରତ୍ନ ଭଣ୍ଡାର,ଏସ୍ଓପି ଆଧାରରେ ଆରମ୍ଭ ହେବ ଗଣତି ପ୍ରକ୍ରିୟା
ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳ ରତ୍ନ ଭଣ୍ଡାର। ଭିତର ରତ୍ନଭଣ୍ଡାର ଖୋଲି ଅଧା ରହିଥିବା ଗଣତିମଣତି ପ୍ରକ୍ରିୟା ପୁଣି ଆଗେଇବ। ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ପୂର୍ବରୁ ୯ ଦିନ ଧରି ଗଣତିମଣତି ଚାଲିଥିଲା । ଦଶମ ଦିନ ନିମନ୍ତେ ଗଣତିମଣତି କାମ ଆଗେଇବ । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ପ୍ରକାରର ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ପ୍ରାୟ ୨୦ ପ୍ରତିଶତ ଗଣତିମଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନ ଧରି ଗଣତିମଣତି ହୋଇଥିଲା ।ସୋମବାରଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଥ ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ଗଣତି ମହାପ୍ରଭୁଙ୍କ ଜାତଭୋଗ ଏବଂ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ । ଏଣୁ ଅପରାହ୍ଣ ୪ଟାରୁ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠ ଠାରୁଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜିଉଙ୍କ ନୀତି ସଂପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ପ୍ରବେଶ କରିପାରିବେ ।କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନମାନଙ୍କରେ ଧାର୍ଯ୍ୟସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ଠାରୁ ଦର୍ଶନ କରାଯିବ ।