ଯଶ ଓ ଖ୍ୟାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କଲେ ସରକାର

ଓଡ଼ିଶା ପାଇଁ  ଯଶ ଓ ଖ୍ୟାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଶା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଯଶ ଓ ଖ୍ୟାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ବହୁଭାଷୀ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରଯାଇଥିଲା। ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓଡ଼ିଶାର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ସୋନାଲ ମାନସିଂହ, ରମାକାନ୍ତ ରଥ, ରମାକାନ୍ତ ପଣ୍ଡା, ଯତୀନ ଦାସ, ଡ. ଯୋଗେଶ ପତି ଏବଂ ପଦ୍ମଶ୍ରୀ ସମ୍ମାନ ପାଇଥିବା ପ୍ରିୟମ୍ବଦା ମହାନ୍ତି ହେଜମାଦି, ତୁଳସୀ ମୁଣ୍ଡା, ଦିଲ୍ଲୀପ ତିର୍କୀ, ନଳିନୀ ରଞ୍ଜନ ମହାନ୍ତି, ଚତୁର୍ଭୁଜ ମେହେର, କୁମ୍‌କୁମ୍‌ ମହାନ୍ତି, ରବିନାରାୟଣ ବସ୍ତିଆ, ଶ୍ରୀନିବାସ ଉଦ୍‌ଗାତା, ଇଗନେସ ତିର୍କୀ, ମାୟାଧର ରାଉତ, କୈଳାସ ଚନ୍ଦ୍ର ମେହେର, ଡା. ତାରାପ୍ରସାଦ ଦାସ, ସୁଦର୍ଶନ ପଟ୍ଟନାୟକ, ଡା. ସୁବ୍ରତ ଆଚାର୍ଯ୍ୟ, ହଳଧର ନାଗ, ନୀଳମାଧବ ପଣ୍ଡା, ଡା. ମୁକୁଟ ମିଞ୍ଜ, ଡ. ଜିତେନ୍ଦ୍ର ହରିପାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରତିଭା ରାୟ, ଜ୍ଞାନପୀଠ ବିଜେତା ଔପନ୍ୟାସିକା କହିଥିଲେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା। ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ। କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ। ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ।

ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ କହିଥିଲେ ଓଡ଼ିଆ ଭାଷାର ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମାନ’ ପ୍ରଦାନ କରିଛନ୍ତି ସରକାର। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା। ଏହି ଅବସର‌ରେ ଡ. ପଟ୍ଟନାୟକ କହିଛନ୍ତି, ‘‘ଏହା ମୋ’ ପାଇଁ ବଡ଼ ସମ୍ମାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ। ନିଜ ମାଟିରେ ମତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି’’।

ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଓ ଭାଷାବିତ୍‌ କହିଥିଲେ ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମସନ୍ତୋଷ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଭାଷା ସମ୍ମିଳନୀ ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡ଼ିଆ ଭାଷା ଆହୁରି ଆଗକୁ ବଢ଼ିବ।