ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମ୍ ଠାରେ ପିଏମ୍ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାର ୩୧,୫୧,୭୦୦ ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚିିଛି। ଯଦି ଆପଣ ପିଏମ୍ କିଷାନ ଯୋଜନା ପାଇଁ ଯୋଗ୍ୟ, ତେବେ ଆକାଉଣ୍ଟରେ ଟଙ୍କା ଆସିଛି କି ନାହିଁ ତାହାକୁ ସହଜରେ ଅନଲାଇନ୍ରେ ଚେକ୍ କରିପାରିବେ।
ହିତାଧିକାରୀ ତାଲିକାରେ ଆପଣଙ୍କର ନାମ ଏହିପରି ଯାଞ୍ଚ କରନ୍ତୁ:
-ସର୍ବପ୍ରଥମେ, PMkisan.gov.in ରେ ପିଏମ୍ କିଷାନ ଯୋଜନାର ଅଫିସିଆଲ ୱେବସାଇଟ ଖୋଲନ୍ତୁ।
-ଆପଣଙ୍କୁ ହୋମପେଜ୍ରେ ଫାର୍ମର୍ସ କର୍ଣ୍ଣର ଦେଖାଯିବ। ଏଠାରେ ହିତାଧିକାରୀ ତାଲିକାରେ କ୍ଲିକ କରନ୍ତୁ। ଏହା ପରେ ଆପଣ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗାଁ ଚୟନ କରନ୍ତୁ।
-ଆପଣ ଏହା ପରେ, ପିଏମ୍ କିଷାନ ଯୋଜନାର ହିତାଧିକାରୀ ତାଲିକା ଆପଣଙ୍କ ସାମ୍ନାରେ ଦେଖିବାକୁ ପାଇବେ, ଯେଉଁଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ।
ଯଦି ଆପଣଙ୍କର ନାମ ଏହି ତାଲିକାରେ ନାହିଁ, ତେବେ ଆପଣ ପିଏମ କିଷାନ ହେଲ୍ପଡେସ୍କରେ ଏହା ଉପରେ ଅଭିଯୋଗ କରିପାରିବେ। କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପିଏମ୍ କିଷାନ ହେଲ୍ପଡେସ୍କରେ ଅଭିଯୋଗ କରାଯାଇପାରିବ।ଏହା ସହିତ, ଆପଣ ଇମେଲ ଆଇଡି [email protected] ରେ ଏକ ଅଭିଯୋଗ ପଞ୍ଜିକରଣ କରିପାରିବେ।
-ହେଲ୍ପ ଡେସ୍କରେ କିପରି ଅଭିଯୋଗ କରିବେ?
ପିଏମ୍ କିଷାନ ଯୋଜନାର ହେଲ୍ପଡେସ୍କରେ ଅଭିଯୋଗ କରିବାକୁ, ସର୍ବପ୍ରଥମେ ଆପଣଙ୍କୁ pmkisan.gov.in ର ଅଫିସିଆଲ ୱେବସାଇଟ ଖୋଲିବାକୁ ପଡିବ। ଏହା ପରେ, ଫାର୍ମର୍ସ କର୍ନରକୁ ଯାଆନ୍ତୁ । ହେଲ୍ପ ଡେସ୍କ ବିଭାଗକୁ ଯାଇ ଏକ ଅଭିଯୋଗ ପଞ୍ଜିକରଣ କରନ୍ତୁ। ସେହି ସମୟରେ, କୌଣସି ଅସୁବିଧା ହେଲେ, ଆପଣ ହେଲ୍ପଲାଇନ ନମ୍ବର ୦୧୧- ୨୪୩୦୦୬୦୬ କିମ୍ବା ଟୋଲ ଫ୍ରି ନମ୍ବର ୧୮୦୦୧୧୫୫୨୬୬ କୁ କଲ କରି ଅଧିକ ସୂଚନା ପାଇପାରିବେ।
ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଚାଲିଥିବା ରାଜ୍ୟର କୃଷକ ମାନେ ଡବଲ ଫାଇଦା ପାଉଛନ୍ତି। ଆମ ସରକାରରେ ସବୁ ନିଷ୍ପତ୍ତି ଓ ନୀତି ବିକଶିତ ଭାରତ ଗଠନକୁ ଆଖି ଆଗରେ ରଖି ଗ୍ରହଣ କରାଯାଉଛି। ପିଏମ୍ କିଷାନର ୧୮ତମ କିସ୍ତି ପ୍ରଦାନ ଉତ୍ସବକୁ ସାରା ଦେଶ ପିଏମ୍ କିଷାନ ଉତ୍ସବ ଦିବସ ରୂପେ ପାଳନ କରୁଛି। ଏହି ଯୋଜନା ମାଧ୍ୟମରେ ବର୍ଷକୁ ତିନିଟି କିସ୍ତିରେ ୬ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ୧୮ତମ କିସ୍ତି ପ୍ରଦାନ ଜରିଆରେ ଓଡ଼ିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହେଲେ। ପୂର୍ବରୁ ବରଗଡ଼ରେ ଦିଆଯାଇଥିବା ୧୭ତମ କିସ୍ତିରେ ରାଜ୍ୟର ୨୯ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଉପକୃତ ହୋଇଥିଲେ। ପିଏମ୍ କିଷାନ ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟରେ ସିଏମ୍ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଯେଉଁଥିରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିର ୪ହଜାର ଟଙ୍କା ପ୍ରଦାନ କରାଯାଉଛି।