ବାଲିଅନ୍ତା ବର୍ବରତା ଘଟଣାରେ ୪ ପୋଲିସ୍ କର୍ମଚାରୀ ନିଲମ୍ବିତ
ଆଉ ତ୍ରାହି ନାହିଁ ! ବାଲିଅନ୍ତା ବର୍ବରତା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ୪ ପୋଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। IICଙ୍କୁ ମୁଖ୍ୟାଳୟକୁ ବଦଳି କରାଯିବା ସହ ୪ ପୋଲିସଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଜଣେ SI, ଜଣେ ASI, ଜଣେ OAPFଙ୍କୁ ସସପେଣ୍ଡ୍ କରାଯାଇଛି। ସେହିପରି ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା। ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍। ଆଜି କ୍ରାଇମ୍ ବ୍ରାଞ୍ଚର ଦୁଇଟି ଟିମ୍ ବାଲିଅନ୍ତା ଯାଇଛନ୍ତି । ଗୋଟିଏ ଟିମ୍ ବାଲିଅନ୍ତା ଥାନାକୁ ଯାଇ ତଦନ୍ତ କରିଥିବା ବେଳେ ଅନ୍ୟ ଟିମ୍ କ୍ରାଇମ୍ ସ୍ପଟ୍ ରେ ଖୋଳତାଡ କରୁଛି।ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ ଓ ସାଇବର୍ ଟିମ୍ ଓ ଡଗ ସ୍କ୍ୱାର୍ଡ ସାମିଲ ରହିଛି।
ଅନ୍ୟପଟେ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ପୀଡ଼ିତ ମାନଙ୍କୁ ପଚରାଉଚରା ହେବ। ସାକ୍ଷୀମାନଙ୍କୁ ଜେରା କରିବେ ଟିମ୍ । ଡାକ୍ତରଙ୍କ ଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଅଣାଯିବ। ଯାହା ବିରୁଦ୍ଧରେ ପ୍ରମାଣ ମିଳିବ କାହାକୁ ଛଡ଼ା ଯିବ ନାହିଁ । ମାମଲାରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତର ମନିଟରିଂ କରିବେ। ଡି ଏସ ପି ରତ୍ନପ୍ରଭା ଶତପଥୀ ତଦନ୍ତ ଦାୟିତ୍ୱରେ ଅଛନ୍ତି। ଏହି ଟିମ୍ ରେ ୧୦ ଜଣ ସଦସ୍ୟ ରହିଛନ୍ତି। ଜଣେ ଏସପି, ୨ ଜଣ ଡିଏସପି , ୪ ଇନ୍ସପେକ୍ଟର, ଜଣେ ଏସଆଇ ଓ ୨ ଜଣ ଏଏସଆଇ ରହିଛନ୍ତି। ତଦନ୍ତକୁ ୩ଟି ଭାଗରେ ବିଭକ୍ତ କରାଯାଇଛି।
ଡିସିପିଙ୍କ ସୂଚନା ଅନୁସାରେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋଟ ଏହି ମାମଲାରେ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି।
ସେପଟେ ଘଟଣାର ଦିନକ ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ହେବ । ଯେଉଁମାନେ ଜଘନ୍ୟ ହତ୍ୟାକାଣ୍ଡରେ ସାମିଲ ସେମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । କର୍ମର ଫଳ ପାଇବେ ଅପରାଧୀ । ରାଜ୍ୟରେ ଦଣ୍ଡବିଧାନ ହାର ବଢିଛି । ଦୈନିକ ରିପୋର୍ଟ ନିଆଯାଉଛି । ଆଗକୁ ଯେପରି ଏଭଳି ଘଟଣା ନ ଘଟିବ ସରକାର ସେଥିପ୍ରତି ତତ୍ପର ଅଛନ୍ତି ବୋଲି ମନ୍ତ୍ରୀ ଦୋହରାଇଛନ୍ତି ।