କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍,ଜାମିନ୍ ପ୍ରଦାନ କଲେ SDJM କୋର୍ଟ
କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍ । ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କଲେ SDJM କୋର୍ଟ । ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା ଜାମିନ୍ । ୩୦ ହଜାର ଟଙ୍କା ଓ ୨ ଜାମିନ୍ଦାରଙ୍କ ବଦଳରେ ମିଳିଲା ଜାମିନ୍ । ଆଜି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଫୋନ ଫେରାଇଥିଲେ ମହାକାଳପଡ଼ା ପୋଲିସ । ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଥିଲେ ମହାକାଳପଡ଼ା ଆଇଆଇସି ।
ଏନେଇ ଚାମେଲିଙ୍କ ବାପା ସୂଚନା ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ କେବିନ ନମ୍ବର ୧୫ରେ ଚାମେଲି ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକ୍ଷକ । ୪ଜଣ ସ୍ପେସାଲିଷ୍ଟ ତାଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଲେ ୨ରୁ ୪ଦିନ ମଧ୍ୟରେ ଚାମେଲିଙ୍କୁ ଡିସଚାର୍ଜ କରାଯିବା ନେଇ ସୂଚନା ଦେଇଛନ୍ତି ଡାକ୍ତର କିଶୋର ମିଶ୍ର ।
ମହାକାଳପଡ଼ା ବିଡିଓ (BDO) ଏବଂ ପୋଲିସ ପକ୍ଷରୁ କରାଯାଇଥିବା FIR ଅନୁଯାୟୀ ତାଙ୍କ ଉପରେ ନିମ୍ନଲିଖିତ ମୁଖ୍ୟ ଅଭିଯୋଗଗୁଡ଼ିକ ରହିଛି:
୧. (କେସ୍ ନମ୍ବର ୧୭୦)ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁସାରେ ଏହି ମାମଲା ରୁଜୁ ହୋଇଛି : ସରକାରୀ କାର୍ଯ୍ୟରେ ବାଧା: ସରକାରୀ ଅଧିକାରୀଙ୍କୁ ତାଙ୍କ କର୍ତ୍ତବ୍ୟ କରିବାରେ ବାଧା ସୃଷ୍ଟି କରିବା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ: ବିଡିଓଙ୍କ ଚାମ୍ବର ଭିତରକୁ ପଶି ତାଙ୍କୁ ଦୁର୍ବ୍ୟବହାର ଓ ଅସଭ୍ୟ ଭାଷାରେ ଗାଳି କରିବା । ବେଆଇନ ଭିଡିଓଗ୍ରାଫି: ବିଡିଓଙ୍କ ଅନୁମତି ବିନା ସରକାରୀ କାର୍ଯ୍ୟାଳୟ ଭିତରେ ବେଆଇନ ଭାବେ ମୋବାଇଲ୍ ରେ ଭିଡିଓ ସୁଟିଂ କରିବା । ଅପରାଧିକ ଧମକ: ସରକାରୀ କର୍ମଚାରୀଙ୍କୁ ଭୟଭୀତ କରାଇବା ଏବଂ ଧମକ ଚମକ ଦେବା ।
୨. (କେସ୍ ନମ୍ବର ୧୭୧ ) ଘଟଣା ସ୍ଥଳରେ ତଦନ୍ତ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପହଞ୍ଚିଥିବା ପୋଲିସ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଏହି ଦ୍ୱିତୀୟ ମାମଲାଟି ରୁଜୁ ହୋଇଛି : ହତ୍ୟା ଉଦ୍ୟମ : ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିବା ଅଭିଯୋଗ । କର୍ତ୍ତବ୍ୟରତ ପୋଲିସକୁ ଆକ୍ରମଣ: ଏସଆଇ (SI) ତପସ୍ୱିନୀ ବିଶ୍ୱାଳ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ଆହତ କରିବା । ଆଙ୍ଗୁଠି କାମୁଡ଼ିବା: କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଆଙ୍ଗୁଠିକୁ କାମୁଡ଼ି କ୍ଷତବିକ୍ଷତ କରିବା (ଏଥିପାଇଁ BNS ଦଫା ୧୨୧(୧) ଓ ୧୩୩ ଲଗାଯାଇଛି) ।