ବିଧାନସଭା ନିର୍ବାଚନର ଫଳାଫଳକୁ ଚ୍ୟାଲେଞ୍ଜ କରି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେTMC ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମମତା
ପଶ୍ଚିମବଙ୍ଗ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳକୁ ଚ୍ୟାଲେଞ୍ଜ କରି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭବାନୀପୁର ବିଧାନସଭା ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହେବା ପରେ ସେ ଏହି ଆବେଦନ ଦାୟର କରିଛନ୍ତି।
ଭବାନୀପୁର ଆସନରୁ ପରାଜୟକୁ ଚ୍ୟାଲେଞ୍ଜ
ମମତା ବାନାର୍ଜୀ ନିଜର ଗଡ଼ କୁହାଯାଉଥିବା ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁ ଆସନକୁ ସେ ୨୦୨୧ ମସିହାରୁ ନିଜ କବ୍ଜାରେ ରଖିଥିଲେ। ତେବେ ଏହି ନିର୍ବାଚନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ତାଙ୍କୁ ୧୫,୦୦୦ ରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ମେ ୪ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହୋଇଥିଲା, ଯେଉଁଥିରେ ଭାରତୀୟ ଜନତା ପାର୍ଟି (BJP) ବିପୁଳ ବିଜୟ ହାସଲ କରି ସରକାର ଗଠନ କରିଛି। ଏହି ସଫଳତା ପରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
କୋର୍ଟରେ ପହଞ୍ଚିଲେ ମମତା
ମମତା ବାନାର୍ଜୀ କୋଲକାତା ହାଇକୋର୍ଟରେ ଆବେଦନ କରି ଭବାନୀପୁର ଆସନର ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ମତରେ, ନିର୍ବାଚନ ପ୍ରକ୍ରିୟା ଏବଂ ଗଣତି ସମୟରେ କିଛି ତ୍ରୁଟି ରହିଥିଲା, ଯାହାର ପୁନଃ ଯାଞ୍ଚ ହେବା ଆବଶ୍ୟକ। ଏହା ପ୍ରଥମ ଥର ନୁହେଁ ଯେତେବେଳେ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାପୂର୍ବରୁ ୨୦୨୧ ମସିହା ବିଧାନସଭା ନିର୍ବାଚନରେ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦୀଗ୍ରାମ ଆସନରୁ ମଧ୍ୟ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ ଶୁଭେନ୍ଦୁ ମମତାଙ୍କୁ ମାତ୍ର ୨,୦୦୦ ଭୋଟ୍ରେ ପରାସ୍ତ କରିଥିଲେ।
ନନ୍ଦୀଗ୍ରାମରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ଫଳାଫଳକୁ ଅସ୍ୱୀକାର କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ ଏବଂ ସେହି ପୁରୁଣା ମାମଲା ଏବେ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି। ଟିଏମସି ଅନୁଯାୟୀ, ଗଣତନ୍ତ୍ରର ସୁରକ୍ଷା ଏବଂ ସ୍ପଷ୍ଟତା ପାଇଁ ଦଳ ଆଇନର ସହାୟତା ନେଇଛି । ସେପଟେ ବିଜେପି ଏହାକୁ ମମତା ବାନାର୍ଜୀଙ୍କ ଜନମତକୁ ଗ୍ରହଣ ନକରିବାର ଅହଂକାର ଏବଂ ହତାଶା ବୋଲି ଦର୍ଶାଇଛି । ପଶ୍ଚିମବଙ୍ଗରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ଟିଏମସିର ପରାଜୟ ଏବଂ ବିଜେପିର ସରକାର ଗଠନ ପରେ ଏହି ନୂଆ ଆଇନଗତ ଲଢ଼େଇ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଦେଇଛି।