ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା,ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ
ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲାରେ ରାସ୍ତାରୋକ କଲେ ସୌମ୍ୟଙ୍କ ସମ୍ପର୍କୀୟ ଓ ପରିବାରଲୋକେ। ୬୦ ନମ୍ବର ରାଜ୍ୟ ରାଜପଥରେ ଆନ୍ଦୋଳନ କରିଛନ୍ତି। ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ସୌମ୍ୟଙ୍କ ମୃତ୍ୟୁ ପ୍ରତିବାଦ କରିଛନ୍ତି ସମ୍ପର୍କୀୟ। ତାଙ୍କ ଚାକିରିରେ ଥିବା ବକେୟା ଦରମା ମିଳୁ। ଦୋଷୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ରାଜ୍ୟ ରାଜପଥରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ପୁଲିସ ମୁତୟନ ରହିଛି।
ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଛନ୍ତି। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଛି। ବଡ଼କଥା ହେଉଛି ଘଟଣା ସମୟରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ବେ କେବଳ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି।