ହତ୍ୟାକାରୀ ପୁଅକୁ ପୁରୀ ପୁଲିସ ୫୭ ଦିନର କସରତ ପରେ ଗିରଫ କରିବାରେ ସଫଳ

ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ଭଡ଼ାଘରେ ନିଜ ମା’ଙ୍କୁ ହତ୍ୟାକରି କାନ୍ଥରେ ପ୍ଲାଷ୍ଟର କରିଦେଇଥିବା ହତ୍ୟାକାରୀ ପୁଅକୁ ପୁରୀ ପୁଲିସ ୫୭ ଦିନର କସରତ ପରେ ଶେଷରେ ଗିରଫ କରିବାରେ ସଫଳ ହୋଇଛି । ତା ନାଁ ମଦନ ଦଳେଇ । ତା ଘର ଗଜପତି ଜିଲା କାଶୀନଗର ଖରଡ଼ା ଗାଁରେ । କୁମ୍ଭାରପଡ଼ା ପୁଲିସ ତାକୁ ଝାଡ଼ଖଣ୍ଡ ଟାଟାନଗରରୁ ଗିରଫ କରିବା ପରେ ମଙ୍ଗଳବାର ସିନ୍ ରିକ୍ରିଏସନ କରିଛି । ଏଯାବତ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ ।
ଗତ ପ୍ରାୟ ୨ ମାସ ତଳେ ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ପୁଅ ମଦନ ଫେରାର ହୋଇଯାଇଥିଲା । ତାକୁ ଧରିବାକୁ ପୁଲିସ ବିଭିନ୍ନ ରାଜ୍ୟକୁ ଯାଇ ଖୋଜଖବର ନେଇଥିଲା । କଲକତାରେ ଥିବା ତା ଭଉଣୀଠୁ ସୂଚନା ମିଳିବା ପରେ ପୁଲିସ ଝାଡଖଣ୍ଡର ଏକ ଦୋକାନରୁ ତାକୁ ଗିରଫ କରିଛି । ମଦନ ଦଳେଇ ପୂର୍ବରୁ ମୁମ୍ବାଇରେ ରହି କାମ କରୁଥିଲା । ତା ନାଁରେ ଓଡ଼ିଶା ଓ ମହାରାଷ୍ଟ୍ରର ୨ଟି ଆଧାର କାର୍ଡ ଥିବା ପୁଲିସ ଜାଣିପାରିଛି । ଘଟଣାର ଅଧିକ ଅନୁସନ୍ଧାନ ଚାଲିଛି ।

Leave a comment