କୋଭିଡ୍ ମହାମାରୀ ସମୟରେ ଅସୁବିଧା କିମ୍ବା ଅସୁସ୍ଥତା ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି,ପ୍ରଥମ ପ୍ରଫେସନାଲ୍ ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ
ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । କୋଭିଡ୍ ମହାମାରୀ ସମୟରେ ଅସୁବିଧା କିମ୍ବା ଅସୁସ୍ଥତା କାରଣରୁ ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ମିଳିବ ଅତିରିକ୍ତ ସୁଯୋଗ । ଏଥିପାଇଁ ନ୍ୟାସନାଲ୍ ମେଡିକାଲ୍ କମିଶନ (ଏନ୍ଏମ୍ସି) ଏକ ଅସ୍ଥାୟୀ କୋହଳ ବ୍ୟବସ୍ଥା ଲାଗୁ କରିଛି ।
ଏନ୍ଏମ୍ସି ନିକଟରେ ଏହି ଛାତ୍ରଛାତ୍ରୀଙ୍କ ସମସ୍ୟା ବିଚାରାଧୀନ ଥିଲା । ଏହାକୁ ବିଚାରକୁ ନେଇ କମିଶନ ଅତିରିକ୍ତ ସୁଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ନିର୍ଦ୍ଧାରିତ ଚାରିଟି ସୁଯୋଗ ବ୍ୟତୀତ ଯୋଗ୍ୟ ଛାତ୍ରଛାତ୍ରୀ ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପରୀକ୍ଷା ପାସ୍ କରିବା ପାଇଁ ଆଉ ଗୋଟିଏ ସୁଯୋଗ ପାଇବେ । ଅର୍ଥାତ୍ ସେମାନଙ୍କୁ ସର୍ବମୋଟ ପାଞ୍ଚଟି ସୁଯୋଗ ମିଳିବ ।
ଏନ୍ଏମ୍ସି ରଖିଛି ଏହି ସର୍ତ୍ତ
ଏହି ଅତିରିକ୍ତ ସୁଯୋଗ ପାଇଁ ଏନ୍ଏମ୍ସି କିଛି ସର୍ତ୍ତ ଧାର୍ଯ୍ୟ କରିଛି। ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ନିର୍ଦ୍ଧାରିତ ଚାରି ବର୍ଷର ଅବଧି ଅତିକ୍ରମ କରିସାରିଥିଲେ ମଧ୍ୟ ଯୋଗ୍ୟ ଛାତ୍ରଛାତ୍ରୀ ଏହି ସୁଯୋଗର ଲାଭ ଉଠାଇପାରିବେ । ତେବେ ସେମାନଙ୍କ ନାମଲେଖା ବୈଧ ଥିବା ଆବଶ୍ୟକ । ଏଥିସହ ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍ର ପ୍ରଯୁଜ୍ୟ ଅବଧିକୁ ମିଶାଇ ଏମ୍ବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ମୋଟ ସମୟ ନାମଲେଖା ତାରିଖଠାରୁ ଦଶ ବର୍ଷ ଅତିକ୍ରମ କରିବ ନାହିଁ ବୋଲି ଏନ୍ଏମ୍ସି ସ୍ପଷ୍ଟ କରିଛି ।
୨୦୧୯-୨୦ ଓ ୨୦୨୦-୨୧ ବ୍ୟାଚ୍ ପାଇଁ ସୁଯୋଗ
ଏନ୍ଏମ୍ସିର ଏହି ନିଷ୍ପତ୍ତି ଦ୍ୱାରା କୋଭିଡ୍ ମହାମାରୀ କିମ୍ବା ଅସୁସ୍ଥତା ଯୋଗୁଁ ପରୀକ୍ଷାରେ ସଫଳ ହୋଇପାରିନଥିବା ଉକ୍ତ ଦୁଇ ଶିକ୍ଷାବର୍ଷର ଯୋଗ୍ୟ ଏମ୍ବିବିଏସ୍ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହି ଅସ୍ଥାୟୀ କୋହଳ ବ୍ୟବସ୍ଥା ସେମାନଙ୍କୁ ପ୍ରଥମ ପ୍ରଫେସନାଲ୍ ପରୀକ୍ଷା ପାସ୍ କରିବାର ଆଉ ଏକ ସୁଯୋଗ ପ୍ରଦାନ କରିବ।