ଆଜିଠୁ ଅଣସର ଦର୍ଶନ, ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ,ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି

ଅତ୍ୟଧିକ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଆଜିଠୁ ଅଣସର ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ। ବ୍ରହ୍ମଗିରି ଅଲାରନାଥ ପୀଠରେ ପ୍ରଭୁ ଜଗନ୍ନାଥଙ୍କ ଅଲୌକିକ ରୂପ । ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ସେଥିପାଇଁ ଅଲାରନାଥଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୫୦ରୁ ଅଧିକ ସିସିଟିଭି ଲଗାଯାଇଛି । ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ । ଅଲାରନାଥ ପୀଠରେ କଳାମୁଗୁନି ପଥରର ଚତୁର୍ଭୁଜ ନାରାୟଣ ମୂର୍ତ୍ତି ପୂଜା ପାଉଛନ୍ତି । ଦୁଇ ପାର୍ଶ୍ୱରେ ମା’ ଲକ୍ଷ୍ମୀ ଓ ମା’ ସରସ୍ୱତୀ ବିରାଜମାନ ଅଛନ୍ତି । ଅଣସର ବେଳେ ପ୍ରଭୁଙ୍କ ପାଖରେ ସ୍ୱତନ୍ତ୍ର ସୁଆଦିଆ କ୍ଷୀରି ଭୋଗ ଲାଗି ହୋଇଥାଏ । ଯାହାକୁ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥାଏ ।

 

Leave a comment