ବିଷାକ୍ତ ଦହିବରା ଖାଇ ଅସୁସ୍ଥ ଘଟଣା । ୯୦ ପାର ହେଲା ଅସୁସ୍ଥ ସଂଖ୍ୟା। ସେଥିମଧ୍ୟରୁ ୪୨ ଶିଶୁ ଥିବା ବେଳେ ବଡ ଲୋକ ୫୦ ଜଣ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେପଟରେ ବିକ୍ରି କରିଥିବା ଦହିବରା ବେପାରୀକୁ ଦଶରଥପୁର ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର । ସେପଟେ ଚିକିତ୍ସିତ ହେଉଥିବା ଶିଶୁଙ୍କ ମଧ୍ୟରୁ କିଛିଙ୍କୁ ଡିସ୍ଚାର୍ଜ କରାଯିବ ବୋଲି ଶିଶୁ ବିଶେଷଜ୍ଞ କହିଛନ୍ତି ।
ଯାଜପୁର ଦଶରଥପୁର ଅଞ୍ଚଳରେ ଦହିବରା ଖାଇ ଅସୁସ୍ଥ ହେବା ଘଟଣା। ଦହିବରା ବିକ୍ରି କରିଥିବା ବେପାରୀକୁ ଅଟକ ରଖିଛି ଦଶରଥପୁର ପୋଲିସ । ବେପାରୀ ଜଣକ ପାଖ ଗାଁ ତୁଳାଟିଆ ସାହିର ଗୁରୁଡ଼ା ସାହୁ ବୋଲି ଜଣାପଡିଛି । ଏପଟେ ଶନିବାର ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କି ପଦକ୍ଷେପ ନିଆଯାଇଛି ପ୍ରକୃତ କାରଣ କଣ ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦହିବରା ଖାଇବା ପରେ ଦଶରଥପୁର ପାଟପୁର ଅଞ୍ଚଳରେ ୩୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ଦଶରଥପୁର ମେଡିକାଲ ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୨୦ ଜଣ ଶିଶୁଙ୍କ ସମେତ ପାଖାପାଖି ୬ଟି ଗାଁର ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି।