ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ୟାୟ ଓ ଅହଂକାରର ପ୍ରତୀକ ରାବଣର ଅନ୍ତ। ବିଜୟା ଦଶମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପାରମ୍ପରିକ ରାବଣପୋଡ଼ି ଉତ୍ସବ। ଦଶହରାର ଅନ୍ତିମ ପର୍ଯ୍ୟାୟର ଏହି ଉତ୍ସବକୁ ନେଇ ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ । ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଶେଷ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବିରାଟକାୟ ରାବଣ ପ୍ରତିକୃତି ଦହନ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ରାବଣ ଦହନ ହୋଇଛି । ରାବଣ ପୋଡ଼ି ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ପୌରାଣିକ ପରମ୍ପରା ଅନୁସାରେ, ବିଜୟା ଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ଏହି ଅବସରରେ ରାବଣପୋଡ଼ି ମାଧ୍ୟମରେ ଅହଂକାର, ଅନ୍ୟାୟ ଓ ଅଧର୍ମର ବିନାଶର ବାର୍ତ୍ତା ଦିଆଯାଏ। ରାବଣପୋଡ଼ି ଦେଖିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ଉତ୍ସବସ୍ଥଳରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।
ରାବଣପୋଡ଼ି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାବଣପୋଡ଼ିଠାରୁ ଆରମ୍ଭ କରି ମା’ ଦୁର୍ଗାଙ୍କ ଭସାଣି ପର୍ଯ୍ୟନ୍ତ ଯେପରି କୌଣସି ଅଘଟଣ ନ ଘଟେ, ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ଉତ୍ସବସ୍ଥଳରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ରାବଣପୋଡ଼ି ସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା, ଯାହାଦ୍ୱାରା ଦର୍ଶକମାନେ ସୁରକ୍ଷିତ ଦୂରତାରେ ରହି ଉତ୍ସବ ଦେଖଇତିଲେ । ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଭାବେ ଉତ୍ସବ ପରିଚାଳନା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ରାବଣପୋଡ଼ି ସମୟରେ ଅଗ୍ନିକାଣ୍ଡ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଥିଲା । ଉତ୍ସବ ସମୟରେ ଦର୍ଶକଙ୍କ ସୁରକ୍ଷା ସହ ଅଗ୍ନିକାଣ୍ଡ ରୋକିବା ଉପରେ ମଧ୍ୟ ନଜର ରଖାଯାଇଛି।
ଅଥଧିକାଂଶ ସ୍ଥାନରେ ରାବଣପୋଡ଼ିରେ ସବୁଜ ବାଣ ବ୍ୟବହାର କରାଯାଇଛି । ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା କିମ୍ବା ବିପଜ୍ଜନକ ବାଣ ବ୍ୟବହାର ଉପରେ କଟକଣା ରହିଥିଲା । ଏଭଳି ବାଣ ବ୍ୟବହାର କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ରାବଣପୋଡ଼ି ଉତ୍ସବ ସହ ଦୁର୍ଗାପୂଜାର ଆନନ୍ଦ ଓ ଉତ୍ସାହ ଜାରି ରହିଥିବା ବେଳେ ଶାନ୍ତିଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ଉପରେ ପ୍ରଶାସନର ନଜର ରହିଛି।