ଜୁନ୍ ୧୧ରେ ଫୁଟବଲ ମହାକୁମ୍ଭ ଫିଫା,୫ମ ଟ୍ରଫି ଜିତିବାକୁ ଆଶାବାଦୀ ରହିଛି ଜର୍ମାନୀ
ଫୁଟବଲ ମହାକୁମ୍ଭ ଫିଫା ବିଶ୍ବକପ ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବ। ଆମେରିକା, ମେକ୍ସିକୋ ଓ କାନାଡାରେ ଚଳିତ ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ଫୁଟବଲ ମହାକୁମ୍ଭରେ ୪୮ଟି ଦଳ ଅବର୍ତ୍ତୀର୍ଣ୍ଣ ହେବେ। ଟ୍ରଫି ଜିତିବା ସମସ୍ତ ଦଳଙ୍କ ଲକ୍ଷ୍ୟ। ସେଥିମଧ୍ୟରୁ ଟାଇଟଲ ଦାବିଦାର ଥିବା ଜର୍ମାନୀ ଅନ୍ୟତମ।ଫିଫା ବିଶ୍ବକପରେ ପ୍ରଦର୍ଶନକୁ ଦେଖିଲେ ଜର୍ମାନୀ ଯୁଗ୍ମ ଦ୍ବିତୀୟ ସର୍ବାଧିକ ୪ ଥର ଟାଇଟଲ ଜିତିଛି। ଜର୍ମାନୀ ୧୯୫୪ରେ ପ୍ରଥମ ଥର ପାଇଁ ବିଶ୍ବକପ ଚମ୍ପିଆନ ହୋଇଥିଲା। ଦୀର୍ଘ ୨୦ ବର୍ଷ ପରେ ୧୯୭୪ରେ ଜର୍ମାନୀ ଦ୍ବିତୀୟ ଟାଇଟଲ ହାସଲ କରିଥିଲା। ୧୯୯୦ରେ ଜର୍ମାନୀ ତୃତୀୟ ଟାଇଟଲ ହାସଲ କରିଥିଲା। ଏହାର ୨୪ ବର୍ଷ ପରେ ୨୦୧୪ରେ ଜର୍ମାନୀ ଚତୁର୍ଥ ବିଶ୍ବକପ ଜିତିଥିଲା। ୨୦୧୮ ଓ ୨୦୨୨ରେ ଜର୍ମାନୀ ନୈରାଶ୍ୟଜନକ ପ୍ରଦର୍ଶନ କରିିଥିଲା।
୨୦୨୬ ବିଶ୍ବକପରେ ଜର୍ମାନୀ ୫ମ ଟ୍ରଫି ଜିତିବାକୁ ଆଶାବାଦୀ ରହିଛି। ଜର୍ମାନୀ ଏଥର ଗ୍ରୁପ୍ ‘ଏ’ରେ କ୍ୟୁରାସାଓ, ଆଇଭରି କୋଷ୍ଟ ଓ ଇକ୍ବେଡର ସହ ସ୍ଥାନପାଇଛି। ଏହା ଜୁନ୍ ୧୪ରେ କ୍ୟୁରାସାଓ ସହ ଖେଳି ଅଭିଯାନ ଆରମ୍ଭ କରିବ। ଦଳରେ ୨୨ ବର୍ଷୀୟ ଡିଫେଣ୍ଡର ଆଲେକଜାଣ୍ଡ୍ରା ପାଭ୍ଲୋଭିକ୍, ମିଡ୍ଫିଲଡର ଜୋସୁ୍ଆ କିିମିଚ୍ ଓ ୪୦ ବର୍ଷୀୟ ଗୋଲରକ୍ଷକ ମାନୁଏଲ ନିୟୋର ରହିଛନ୍ତି। ନିୟୋର ଜର୍ମାନୀର ଅନ୍ୟତମ ସଫଳ ଗୋଲରକ୍ଷକ ଭାବେ ପରିଚିତ।
ନିୟୋର ଅବସର ପରେ ପୁଣି ଫେରିବା ସହ ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି। ୨୦୧୪ରେ ଜର୍ମାନୀ ଚମ୍ପିଆନ ହୋଇଥିବାବେଳ ନିୟୋର ଗୋଲଡେନ ଗ୍ଲୋଭ୍ସ ପୁରସ୍କାର ଜିତିଥିଲେ। ୩୧ ବର୍ଷୀୟ ଜୋସୁଆ କିମିଚ୍ ମିଡ୍ଫିଲଡର ଭାବେ ଜଣେ ତାରକା ଖେଳାଳି। ସେ ୨୦୧୮ ଓ ୨୦୨୨ ବିଶ୍ବକପରେ ଖେଳିଥିଲେ। ଏଥି ମଧ୍ୟରେ ସେ ୧୦ଟି ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି। ଆଲେକଜାଣ୍ଡ୍ରା ପାଭ୍ଲୋଭିକ୍ ଚମତ୍କାର ଫର୍ମରେ ରହିଛନ୍ତି। ଯାହା ଦଳ ପାଇଁ ସହାୟକ ହେବାର ଆଶା କରାଯାଉଛି।