କଳିଙ୍ଗ ଷ୍ଟାଡ଼ିୟମରେ ୬୫ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଆରମ୍ଭ

କଳିଙ୍ଗ ଷ୍ଟାଡ଼ିୟମରେ ୬୫ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଆରମ୍ଭ ହୋଇଛି। ବୁଧବାର ପ୍ରଥମ ଦିନରେ ପୁରୁଷ ପୋଲଭୋଲ୍ଟରେ ଦେବ୍‌ କୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା -୨୦୨୬ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଦେବ୍‌ କୁମାର ୫.୪୬ ମିଟର ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଉକ୍ତ କୀର୍ତ୍ତିମାନ ପୂର୍ବରୁ କୁଳଦ୍ବୀପ କୁମାରଙ୍କ ନାମରେ ୫.୪୫ ମିଟର ଥିଲା। ଯାହାକୁ ଦେବ୍‌ କୁମାର ମୀନା ଅତିକ୍ରମ କରିବା ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ଯୋଗ୍ୟତା ୫.୪୫ ମିଟର ରହିଛି। ସେହିପରି ମହିଳା ୧୦୦ ମିଟର ବାଧାଦୌଡ଼ରେ ଜ୍ୟୋତି ୟାରାଜି ୧୨. ୯୯ ସେକେଣ୍ଡରେ ଅତିକ୍ରମ କରି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ୧୩.୩୪ ସେକେଣ୍ଡ ରହିଛି। ଏଥିରେ ତାମିଲନାଡୁର ନନ୍ଦିନୀ କେ ୧୩.୨୨ ସେକେଣ୍ଡ ସହ ଦ୍ବିତୀୟ ସ୍ଥାନରେ ରହି ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଛନ୍ତି। ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୩.୪୮ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ୧୩.୩୪ ସେକେଣ୍ଡ ରହିଛି। ମହିଳା ତ୍ରିପଲ ଜମ୍ପରେ ତାମିଲନାଡୁର ଆଶା ଇଲାଙ୍ଗୋ ୧୩.୮୯ ମିଟର ଅତିକ୍ରମ କରି ସ୍ବର୍ଣ୍ଣ ପଦକ ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ଯୋଗ୍ୟତା ମାର୍କ ୧୩.୩୪ ମିଟର ରହିଛି। ମହିଳା ହାର୍ମର ଥ୍ରୋ ରେ ଉତ୍ତରପ୍ରଦେଶର ଅନୁଷ୍କା ଯାଦବ ୬୭.୦୨ ମିଟର ଅତିକ୍ରମ କରି ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ଯୋଗ୍ୟତା ମାର୍କ ୬୧.୭୨ ମିଟର ରହିଛି। ମହିଳା ୫୦୦୦ ମିଟର ଦୌଡ଼ରେ ହିମାଚଳ ପ୍ରଦେଶର ସୀମା ୧୬:୧୧.୦୪ ସେକେଣ୍ଡ ସହ ସ୍ବର୍ଣ୍ଣ, ହରିୟାଣାର ଭାରତୀ ରୌପ୍ୟ ଓ ମହାରାଷ୍ଟ୍ରର ରବିନା ଗାଏକ୍ବାର୍ଡ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୫୦୦୦ ମିଟର ଦୌଡ଼ରେ ଉତ୍ତରପ୍ରଦେଶର ଗୁଲବୀର ସିଂହ ୧୩:୫୨.୯୨ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିପାରିନାହାନ୍ତି। ଏଥିରେ ଉତ୍ତରପ୍ରଦେଶର ଅଭିଷେକ ପାଲ ରୌପ୍ୟ ଓ ପଞ୍ଜାବର ହରମୋନଜ୍ୟୋତ ସିଂହ କାଂସ୍ୟ ପଦକ ଜିତିଛନ୍ତି। ଭାରତୀୟ ଦୌଡ଼କୁଦ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଏସୀୟ ଦୌଡ଼କୁଦ ସଂଘ ସଭାପତି ଡ.ଲଳିତ କୁମାର ଭାନୋଟ୍‌, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୂନିଆ, କ୍ରୀଡ଼ା ନିର୍ଦେଶକ ଡ.ୟେଦୁଲା ବିଜୟ, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ୍‌ ସମ୍ପାଦକ ଅଭିଜିତ୍ ପାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରୁ ଆସନ୍ତା ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା-୨୦୨୬ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ (କ୍ୱାଲିଫାୟର୍) ଅଟେ । ଏହି ୫ ଦିନିଆ ପ୍ରତିଯୋଗିତାରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୩୦ ଜଣ ଶ୍ରେଷ୍ଠ ଆଥଲେଟ୍ (୩୪୨ ପୁରୁଷ ଓ ୨୮୮ ମହିଳା) ଭାଗ ନେଉଛନ୍ତି। ଏଥିରେ ମୋଟ ୪୫ଟି ପଦକ ଇଭେଣ୍ଟ ରହିଛି। ପ୍ରତିଯୋଗିତା ୨୮ରେ ଉଦ୍‌ଯାପିତ ହେବ।

Leave a comment