ଆଫଗାନିସ୍ତାନ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରୁ କିଂବଦନ୍ତି ବ୍ୟାଟର୍‌ ବିରାଟ କୋହଲି ବାଦ୍‌

ଆଫଗାନିସ୍ତାନ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରୁ କିଂବଦନ୍ତି ବ୍ୟାଟର୍‌ ବିରାଟ କୋହଲି ବାଦ୍‌ ପଡ଼ିଥିବାର ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ବିସିସିଆଇ ଏଥିନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନି। ତେବେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିବାରୁ କୋହଲି ଏହି ଶୃଙ୍ଖଳା ଖେଳିବା ନେଇ ଅକ୍ଷମତା ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି। ଖବର ସରବରାହ ସଂସ୍ଥା ପିଟିଆଇ ଅନୁସାରେ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ଫାଇନାଲ୍‌ ଅବସରରେ‌ କୋହଲି କଷ୍ଟ ଅନୁଭବ କରିଥିଲେ ମଧ୍ୟ ଖେଳିବା ଜାରି ରଖିଥିଲେ। ଏପରିକି ୭୫* ରନ୍‌ର ସ୍ମରଣୀୟ ପାଳି ଖେଳି ଆର୍‌ସିବିକୁ ଦ୍ବିତୀୟ ଥର ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ଟ୍ରଫି ବିଜୟୀ ପାଳି ବେଳେ ହିଁ ତାଙ୍କ ମାଂସପେଶୀରେ ପବନ ଅଟକି ଯାଇଥିଲା। କୋହଲି ଏହି ଶୃଙ୍ଖଳା ନଖେଳିବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ଦଳର ଅନ୍ୟତମ ବରିଷ୍ଠ ତାରକା ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଛି। ବେଙ୍ଗାଲୁରୁରେ ଥିବା ପାରଦର୍ଶିତା କେନ୍ଦ୍ର (ସିଓଇ)କୁ ଯାଇ ଫିଟ୍‌ନେସ୍‌ ପରୀକ୍ଷା ଦେବାକୁ ବିସିସିଆଇ ତାଙ୍କୁ ନିର୍ଦ୍ଦେଶ ଦେଇଛି। ହେଲେ ରୋହିତ ଏଥିନେଇ ଅମଙ୍ଗ ଥିବା କୁହାଯାଉଛି। ଉଭୟ କୋହଲି ଓ ରୋହିତ କିନ୍ତୁ ଏବେବି ଘୋଷିତ ଭାରତୀୟ ଦଳରେ ଅଛନ୍ତି। ସେହିଭଳି ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ସଙ୍କେତ ବିସିସିଆଇ କିମ୍ବା ସେ ଦେଇ ନାହାନ୍ତି। ସୂଚନାଯୋଗ୍ୟ ଯେ ଭାରତ-ଆଫଗାନିସ୍ତାନ ଦିନିକିଆ ଶୃଙ୍ଖଳା ଚଳିତ ଜୁନ୍‌ ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଧରମଶାଲା, ଲକ୍ଷ୍ନୌ ଓ ଚେନ୍ନାଇରେ ଖେଳାଯିବ। ଏହା ପୂର୍ବରୁ ଦୁଇ ଦଳ ନ୍ୟୁ ଚଣ୍ଡିଗଡ଼ଠାରେ ୬ ତାରିଖରୁ ଏକମାତ୍ର ଟେଷ୍ଟ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ।

Leave a comment