ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ଏବଂ ଐତିହାସିକ ଯୁଗର ଆରମ୍ଭ ହେବାକୁ ଯାଉଛି। ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ ହେବା ନେଇ ସୂଚନା ମିଳିଛି, ଯାହା ଆଗାମୀ ଦିନରେ ବିଶ୍ୱ ବିମାନ ପରିବହନ ବଜାରର ସମ୍ପୂର୍ଣ୍ଣ ଚିତ୍ର ବଦଳାଇ ଦେବାର କ୍ଷମତା ରଖିଛି। ରୁଷର ରାଷ୍ଟ୍ରାୟତ୍ତ ବିମାନ ନିର୍ମାତା କମ୍ପାନୀ ”ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ”ର ମୁଖ୍ୟ ଭାଦିମ ବାଦିଖା ଏକ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଦୁଇଟି ଆଧୁନିକ ରୁଷୀୟ ଯାତ୍ରୀବାହୀ ବିମାନ ସୁଖୋଇ ଏସଜେ-୧୦୦ ଏବଂ ଆଇ୧-୧୧୪-୩୦୦ ପ୍ରତି ଗଭୀର ଆଗ୍ରହ ପ୍ରକାଶ କରିଛନ୍ତି। ଏହି ମେଗା ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କେନ୍ଦ୍ର ସରକାରଙ୍କ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପକୁ ଏହା ଦ୍ୱାରା ବଡ଼ ପ୍ରୋତ୍ସାହନ ମିଳିବ। ରୁଷିଆନ୍ ପ୍ରତିରକ୍ଷା ଓ ବେସାମରିକ ଅଧିକାରୀଙ୍କ ସୂଚନା ମୁତାବକ, ଭାରତ ଏହି ଆଧୁନିକ ବିମାନଗୁଡ଼ିକୁ କେବଳ କ୍ରୟ କରିବ ନାହିଁ, ବରଂ ଏହି ସମସ୍ତ ବିମାନ ସମ୍ପୂର୍ଣ୍ଣ ଭାରତୀୟ ମାଟିରେ ହିଁ ନିର୍ମାଣ କରାଯିବ। ଏଥିପାଇଁ ଭାରତର ସରକାରୀ ପ୍ରତିରକ୍ଷା ସଂସ୍ଥା ”ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍” ଏବଂ ରୁଷର ୟୁଏସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇସାରିଛି. ଯୋଜନା ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ଭାରତୀୟ କାରଖାନାରେ ଏହି ସୁପରଜେଟ୍ ବିମାନଗୁଡ଼ିକର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଯିବ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ବାର୍ଷିକ କ୍ଷମତା ୨୦ ରୁ ୪୦ ୟୁନିଟ୍ ରହିବ ବୋଲି ଆକଳନ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଭାରତୀୟ ବେସାମରିକ ବଜାରରେ ଆମେରିକୀୟ କମ୍ପାନୀ ବୋଇଂ ଏବଂ ୟୁରୋପୀୟ କମ୍ପାନୀ ଏୟାରବସର ଏକଚାଟିଆ ସାମ୍ରାଜ୍ୟ ବା ଅଧିକାର ରହିଆସିଛି। ଏହି ବିଦେଶୀ କମ୍ପାନୀଗୁଡ଼ିକ ବିମାନ ବିତରଣ କରିବା ପାଇଁ ଦୀର୍ଘ ସମୟ ନେଉଥିବାରୁ ଭାରତୀୟ ବିମାନ ସେବାର ସମ୍ପ୍ରସାରଣରେ ଅନେକ ବାଧା ସୃଷ୍ଟି ହେଉଥିଲା। ରୁଷ ସହିତ ହୋଇଥିବା ଏହି ନୂତନ ସହଭାଗୀତା ଭାରତକୁ ଏକ ସୁଦୃଢ଼, ଆତ୍ମନିର୍ଭରଶୀଳ ଏବଂ ବ୍ୟୟ-ପ୍ରଭାବଶାଳୀ ବିକଳ୍ପ ପ୍ରଦାନ କରିବ। ବିମାନ ଚଳାଚଳ ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଭାରତ ଏବଂ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଆଞ୍ଚଳିକ ବଜାରରେ ପ୍ରାୟ ୨୦୦ ରୁ ୩୦୦ ଏହିଭଳି ମଧ୍ୟମ ଧରଣର ବିମାନର ବ୍ୟାପକ ଆବଶ୍ୟକତା ରହିଛି, ଯାହାକୁ ଏହି ନୂତନ ଚୁକ୍ତି ସହଜରେ ପୂରଣ କରିପାରିବ।