ମହିଳା ଟି-୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଦା ହେଲା ଭାରତ

ମହିଳା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଦା ହେଲା ଭାରତ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ ଦଳର ଟି-୨୦ ବିଶ୍ୱକପ ୨୦୨୬ ଜିତିବାର ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି । ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ସହିତ ଭାରତୀୟ ଦଳର ବିଶ୍ୱକପ ଅଭିଯାନ ଶେଷ ହୋଇଛି ଏବଂ ଦଳ ସେମିଫାଇନାଲ ଦୌଡ଼ରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ପଡ଼ିଛି ।

ମ୍ୟାଚ୍ ହାରିବା ପରେ ହରମନପ୍ରୀତ କହିଛନ୍ତି, ଭାରତୀୟ ଟିମ୍ ଦୀର୍ଘଦିନରୁ ଗୋଟିଏ ଭୁଲ୍ କରିଆସୁଛି । ଏକ ଟିମ ଭାବେ ଆମେ ଅନେକ ଜିନିଷରେ ପୁଣିଥରେ କାମ କରିବାକୁ ହେବ । ମଜବୁତ ଟିମ୍ ବିପକ୍ଷରେ କିଭଳି ରଣନୀତି ସହିତ ଖେଳିବାକୁ ହେବ ଏହା ଉପରେ ବିଚାର କରିବାକୁ ହେବ । ଅନେକ ଥର ମ୍ୟାଚ ଭଲ୍ ସ୍ଥିତିରେ ଥିବା ବେଳେ ମଧ୍ୟ ଶେଷ ଓଭରରେ ଅଧିକ ରନ୍ କରି ଆମେ ମ୍ୟାଚ୍ ହାରିଯାଉଛୁ । ତେବେ ଏଭଳି ସମସ୍ୟା ଆମ ସହିତ ଦୀର୍ଘଦିନରୁ ରହିଛି । ଖୁବଶୀଘ୍ର ଏହାକୁ ଠିକ୍ କରିବାକୁ ହେବ ।

ଏହି ମ୍ୟାଚ୍ ଭାରତୀୟ ମହିଳା ଦଳ ପାଇଁ କର ବା ମର ପରିସ୍ଥିତି ଥିଲା । ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଅଧିନାୟକ ହରମନପ୍ରୀତ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୦ ରନ୍ କରି ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୭୧ ରନର ଲକ୍ଷ୍ୟ ଦେଇଥିଲା ।

୧୭୧ ରନର ଲକ୍ଷ୍ୟ ପିଛା କରି ମାତ୍ର ୪ ୱିକେଟ୍ ହରାଇ ହାସଲ କରିନେବା ସହ ମ୍ୟାଚକୁ ୬ ୱିକେଟରେ ଜିତିନେଇଛି । ଏଲିସ୍ ପେରୀ ଏବଂ ଏଶ ଗାର୍ଡନରଙ୍କ ବ୍ୟାଟିଂରେ ଅଷ୍ଟ୍ରେଲିଆ ମ୍ୟାଚ ଜିତିଥିଲା । ଆଉ ମ୍ୟାଚ ହାରିବା ପରେ ବିଶ୍ବକପ ୨୦୨୬ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ଭାରତ ।

ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବା ନିହାତି ଜରୁରୀ ଥିଲା ।

Leave a comment