ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ,ଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରିଛି

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ । କ୍ରିକେଟରେ ଲଗାତାର ଦ୍ୱିତୀୟ ଥର ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରିଛି । ଫାଇନାଲରେ ଭାରତର ବ୍ୟାଟିଂ ଓ ପରେ ବୋଲରଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଚାମ୍ପିଅନ୍ କରିଛି । ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଛି । ପୁରୁଷ ଏବଂ ମହିଳା ଉଭୟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛି ।

ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଭାରତର ଆରମ୍ଭ ଖୁବ୍ ଭଲ ହୋଇନଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଇନିଂସ୍ ଆରମ୍ଭ କରିଥିଲେ । ବୈଭବ କିଛି ଭଲ ଷ୍ଟ୍ରୋକ୍ ଖେଳିଥିଲେ ଏବଂ ଲାଗୁଥିଲା ଯେ ସେ ଏକ ବଡ଼ ଇନିଂସ୍ ଖେଳିବେ । କିନ୍ତୁ ତାହା ହୋଇନଥିଲା। ସେ ୯ ବଲରୁ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଇନିଂସ୍‌ରେ ଦୁଇଟି ଛକା ଥିଲା । ଏହାପରେ ତୃତୀୟ ସ୍ଥାନରେ ଆସିଥିବା ସଞ୍ଜୁ ସାମସନ୍ ମଧ୍ୟ ଶୀଘ୍ର ଆଉଟ୍ ହୋଇଥିଲେ। ସେ ୪ ବଲରୁ ମାତ୍ର ୨ ରନ୍ କରିଥିଲେ । ତେବେ ଅଭିଷେକ ଶର୍ମା ଗୋଟିଏ ପଟେ ଇନିଂସ୍ ସମ୍ଭାଳିଥିଲେ । ତାଙ୍କୁ ଅଧିନାୟକ ଶ୍ରେୟସ ଆୟର କିଛି ସମୟ ପାଇଁ ସାଥ୍ ଦେଇଥିଲେ । ଶ୍ରେୟସ ଆୟର ଧୀରେ ବ୍ୟାଟିଂ କରୁଥିଲେ । ପରେ ଦ୍ରୁତ ରନ୍ କରିବାକୁ ଚେଷ୍ଟା କରି ସେ ଆଉଟ୍ ହୋଇଥିଲେ । ସେ ୨୪ ବଲରୁ ୨୧ ରନ୍ କରିଥିଲେ ।

ଅନ୍ୟପଟେ ଅଭିଷେକ ଶର୍ମା ନିଜ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ । ସେ ଚମତ୍କାର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆଉଟ୍ ହୋଇଥିଲେ । ସେ ୨୮ ବଲରୁ ୬୧ ରନ୍‌ର ଦ୍ରୁତ ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍‌ରେ ୭ଟି ଛକା ଓ ୩ଟି ଚୌକା ସାମିଲ ଥିଲା । ଇଶାନ କିଶନ ଆଉଟ୍ ହେବା ପରେ ଭାରତର ରନ୍ ଗତି କିଛିଟା ଧୀର ହୋଇଯାଇଥିଲା । ଶିଭମ ଦୁବେ ଓ ତିଲକ ବର୍ମା ଆରମ୍ଭରେ ସତର୍କତାର ସହ ବ୍ୟାଟିଂ କରୁଥିଲେ । କିନ୍ତୁ ଶେଷ ଓଭରଗୁଡ଼ିକ ଆରମ୍ଭ ହେବା ପରେ ତିଲକ ଓ ଶିଭମ ନିଜ ଗିୟର ବଦଳାଇ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ତିଲକ ବର୍ମା ୨୨ ବଲରୁ ୫୧ ରନ୍ କରି ଅପରାଜିତ ଫେରିଥିଲେ। ତାଙ୍କ ଇନିଂସ୍‌ରେ ୪ଟି ଛକା ଓ ୩ଟି ଚୌକା ଥିଲା । ଶିଭମ ଦୁବେ ୧୫ ବଲରୁ ୨୭ ରନ୍ କରିଥିଲେ । ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଫଳରେ ଭାରତ ୨୦ ଓଭରରେ ୨୧୧ ରନ୍ କରିଥିଲା । ଏହାପରେ ପାକିସ୍ତାନର ଇନିଂସ୍ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ପାକିସ୍ତାନ ଚାପରେ ରହିଥିଲା। ଅଧିନାୟକ ସାହିବଜାଦା ଫରହାନ୍ ୧୧ ବଲରୁ ୧୦ ରନ୍ କରି ଆଉଟ୍ ହୋଇଥିଲେ । ଉସମାନ ଖାନ୍ ମଧ୍ୟ ମାତ୍ର ୩ ରନ୍ କରି ପାଭିଲିଅନ୍ ଫେରିଥିଲେ ।

ମାଜ୍ ସାଦାକତ୍ କିଛି ଭଲ ବ୍ୟାଟିଂ କରିଥିଲେ, କିନ୍ତୁ ତାହାକୁ ବଡ଼ ଇନିଂସ୍‌ରେ ପରିଣତ କରିପାରିନଥିଲେ । ସେ ୧୮ ବଲରୁ ୨୩ ରନ୍ କରିଥିଲେ । ଶୀଘ୍ର ତିନିଟି ୱିକେଟ୍ ପଡ଼ିବା ପରେ ପାକିସ୍ତାନୀ ଦଳ ଚାପରେ ଦେଖାଯାଇଥିଲା । ଏହାପରେ ହସନ ନୱାଜ୍ ଓ ସାଇମ୍ ଆୟୁବ୍ ଏକ ଭଲ ପାର୍ଟନରଶିପ୍ ଗଢ଼ିଥିଲେ । କିନ୍ତୁ ଏହି ସମୟରେ ରନ୍ ଗତି ବଢ଼ିନଥିବାରୁ ପାକିସ୍ତାନ ମ୍ୟାଚ୍‌ରେ ପଛକୁ ଚାଲିଯାଇଥିଲା । ଭାରତୀୟ ବୋଲରମାନେ ଲଗାତାର ଚାପ ବଜାୟ ରଖି ଦଳକୁ ବିଜୟ ଦେବାରେ ସଫଳ ହୋଇଥିଲେ । ପାକିସ୍ତାନ ଦଳ ୨୦ ଓଭରରେ ମାତ୍ର ୧୯୨ ରନ୍ କରିପାରିଥିଲା । ଫଳରେ ଭାରତ ୧୯ ରନ୍‌ରେ ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି । ଭାରତ ପକ୍ଷରୁ ଅକ୍ଷର ପଟେଲ ୪ ଓଭରରେ ୨୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ । ୱାଶିଂଟନ୍ ସୁନ୍ଦର ମଧ୍ୟ ୪ ଓଭରରେ ୨୯ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ । ଶିଭମ ଦୁବେ ୩ ଓଭରରେ ୩୩ ରନ୍ ଦେଇ ୨ଟି ସଫଳତା ପାଇଥିଲେ । ତେବେ ଯଶପ୍ରୀତ ବୁମରାହଙ୍କୁ କୌଣସି ୱିକେଟ୍ ମିଳିନଥିଲା । ସେ ୪ ଓଭରରେ ୩୩ ରନ୍ ଦେଇଥିଲେ ।

Leave a comment