ଭାରତ ବିଶ୍ବର ଚତୁର୍ଥ ବୃହତ୍ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ରାଷ୍ଟ୍ରରେ ପରିଣତ, ପଛରେ ପଡ଼ିଲା ଭାରତ
ଭାରତ ବିଶ୍ବର ଚତୁର୍ଥ ବୃହତ୍ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ରାଷ୍ଟ୍ରରେ ପରିଣତ ହୋଇଛି। ରୁଷ୍କୁ ପଛରେ ପକାଇ ଭାରତ ଏହି ସ୍ଥାନ ହାସଲ କରିଛି। ସେପ୍ଟେମ୍ବର ୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୪୪.୯ ବିଲିଅନ ଡଲାରର ବୃଦ୍ଧି ଘଟିବା ସହ ଏହା ୭୮୫.୭ ବିଲିଅନ ଡଲାରରେ ପହଞ୍ଚିଛି। ଭାରତର ଉପରକୁ ଏବେ ଚୀନ, ଜାପାନ ଓ ସ୍ବିଜରଲାଣ୍ଡ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ତଥ୍ୟରୁ ଜଣାଯାଇଛି।ତଥ୍ୟରୁ ଜଣାଯାଇଛି ଯେ ବ୍ୟାଙ୍କ ଅଫ୍ ରୁଷ୍ର ବିଦେଶୀ ମୁଦ୍ରା ଭଣ୍ଡାର ସେପ୍ଟେମ୍ବର ୪ ସୁଦ୍ଧା ୭୫୩.୫ ବିଲିଅନ ଡଲାରରେ ରହିଛି। ତା ପୂର୍ବ ସପ୍ତାହରେ ରୁଷ୍ର ବିଦେଶୀ ମୁଦ୍ରା ଭଣ୍ଡାର ୭୭୪.୨ ବିଲିଅନ ଡଲାରରେ ରହିଥିଲା। ତେଣୁ ସପ୍ତାହକ ମଧ୍ୟରେ ରୁଷ୍ର ବିଦେଶୀ ମୁଦ୍ରା ଭଣ୍ଡାର ୨୦.୭ ବିଲିଅନ ଡଲାର ହ୍ରାସ ଘଟିଛି। ଚୀନ ନିକଟରେ ସବୁଠୁ ଅଧିକ ଅର୍ଥାତ୍ ୩.୮୫ ଟ୍ରିଲିଅନ ଡଲାରର ବିଦେଶୀ ମୁଦ୍ରା ରହିଛି। ଏହା ପଛକୁ ଜାପାନ ପାଖରେ ୧.୨୧ ଟ୍ରିଲିଅନ ଡଲାରର ବିଦେଶୀ ମୁଦ୍ରା ରହିଛି। ସେହିଭଳି ସ୍ବିଜରଲାଣ୍ଡ୍ର ବିଦେଶୀ ମୁଦ୍ରା ଭଣ୍ଡାରର ଆକାର ୧.୦୯ ଟ୍ରିଲିଅନ ଡଲାର ସ୍ତରରେ ରହିଛି।ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପଛରେ ପ୍ରବାସୀଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଆଣିଥିବା ଏଫ୍ସିଏନ୍ଆର୍ (ବି) ଜମା ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ଫଳରେ ଭାରତୀୟ ଅର୍ଥନୀତିର ମୂଳଦୁଆ ମଝବୁତ୍ ଥିବା ପ୍ରତିଫଳିତ ହୋଇଛି। ଏଥି ସହିତ ଟଙ୍କାର ବିନିମୟ ମୂଲ୍ୟରେ ଅସ୍ଥିରତା ଦେଖାଦେଲେ ସେଥିରେ ସ୍ଥିରତା ଆଣିବା ରିଜର୍ଭ ବ୍ୟାଙ୍କ ପାଇଁ ସହଜ ହେବ।ଅନ୍ୟପକ୍ଷରେ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ବର୍ତ୍ତମାନ ଅଧିକ ନଗଦ ଅର୍ଥ ରହିଛି। ତାହାକୁ ପରିଚାଳନା କରିବା ପାଇଁ ରିଜର୍ଭ ବ୍ୟାଙ୍କ ୧ ଲକ୍ଷ କୋଟି ଟଙ୍କାର ବଣ୍ଡ୍ ଖୋଲା ବଜାରରେ ବିକ୍ରି କରିବା ଲାଗି ଘୋଷଣା କରିଛି। ୩ଟି ପର୍ଯ୍ୟାୟରେ ଏହି ବଣ୍ଡ୍ ବିକ୍ରି କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୦ ହଜାର କୋଟି ଟଙ୍କାର ବଣ୍ଡ୍ ବିକ୍ରି ସେପ୍ଟେମ୍ବର ୧୭ରେ ହେବ। ଏହା ପରେ ସେପ୍ଟେମ୍ବର ୨୧ରେ ୨୫ ହଜାର କୋଟି ଏବଂ ସେପ୍ଟେମ୍ବର ୨୮ରେ ୨୫ ହଜାର କୋଟି ଟଙ୍କାର ବଣ୍ଡ୍ ବିକ୍ରି ହେବ ବୋଲି ଜଣାଯାଇଛି।