ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ

ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ଦିଲ୍ଲୀରେ ସୋନିଆଙ୍କ ବାସଭବନରେ ହୋଇଥିବା ବୈଠକରେ, ଦୁଇ ନେତ୍ରୀ ଇଣ୍ଡି ମେଣ୍ଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସମନ୍ୱୟ ରକ୍ଷା କରି ରଣନୀତି ଅନୁସାରେ ଆଗକୁ ବଢ଼ିବା ଏବଂ ସମ୍ପ୍ରତି ବଙ୍ଗ ନିର୍ବାଚନରେ ​​ବିଜେପିଠାରୁ ଟିଏମସିର ପରାଜୟ ପରେ ତୃଣମୂଳ ସଦସ୍ୟ ଦଳ ଛାଡ଼ିବା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଚଳିତ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଠାରୁ ହାରିବା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଏକାଠି ରଖିବା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଆଭ୍ୟନ୍ତରୀଣ ଝଟକା ମଧ୍ୟରେ ବିଧାୟକ ଏବଂ ସାଂସଦମାନେ ଦଳ ବିଭାଜନ କରିବା ସହ ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ପ୍ରଥମେ ବିଧାୟକ ରିତବ୍ରତ ବାନାର୍ଜୀ ଗତ ସପ୍ତାହରେ ୫୮ ଜଣ ବିଧାୟକଙ୍କ ସମର୍ଥନ ନେଇ ବିରୋଧୀ ଦଳ ନେତା ପଦ ଦାବି କରିଥିଲେ। ଏବେ ସାଂସଦ କାକୋଲି ଘୋଷ ୧୯ ଜଣ ବିଦ୍ରୋହୀ ସାଂସଦଙ୍କ ସମର୍ଥନରେ ଦଳରୁ ଅଲଗା ହେବା ସହ ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ସମର୍ଥନ କରିବା ପାଇଁ ପ୍ରକାଶ କରିଛନ୍ତି।

ବାଚସ୍ପତି ରଥିନ୍ଦ୍ର ନାଥ ବୋଷ ଗତ ସପ୍ତାହରେ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ୫୮ ଜଣ ବିଦ୍ରୋହୀ ଟିଏମସି ବିଧାୟକଙ୍କୁ ପ୍ରମୁଖ ବିରୋଧୀ ଦଳ ଭାବରେ ମାନ୍ୟତା ଦେଇଥିଲେ। ବିଦ୍ରୋହୀମାନେ ଦଳର ନେତୃତ୍ୱକୁ ଏକଚାଟିଆ ଭାବରେ କାର୍ଯ୍ୟ କରିବାର ଅଭିଯୋଗ କରିଛନ୍ତି ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରିଛନ୍ତି।

ସେହିପରି ସାଂସଦ କାକୋଲି ଘୋଷଙ୍କ ନେତୃତ୍ୱରେ ୧୪ ଜଣ ବିଧାୟକ ଦିଲ୍ଲୀରେ ବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଦଳକୁ ଭାଙ୍ଗିବା ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦଳର ମୁଖ୍ୟ ମମତା ବାନାର୍ଜୀ ଯେଉଁଠି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଉଥିଲେ, ବୈଠକ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ବିଦ୍ରୋହୀ ଟିଏମସି ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ଏବଂ ବଙ୍ଗ ନିର୍ବାଚନ ବିଜେପି ପର୍ଯ୍ୟବେକ୍ଷକ ଭୂପେନ୍ଦର ଯାଦବଙ୍କ ଘରେ ଦୁଇ ଘଣ୍ଟା ପାଇଁ ସାକ୍ଷାତ କରିଥିଲେ। ସନ୍ଧ୍ୟାରେ ବୀରଭୂମି ସାଂସଦ ଶତାବ୍ଦୀ ରାୟଙ୍କ ବାସଭବନରେ ଏହି ଗୋଷ୍ଠୀ ପୁଣି ଥରେ ବୈଠକ କରିଥିଲେ। ବାରାସତ ସାଂସଦ କାକୋଲି ଘୋଷ କହିଛନ୍ତି ଯେ ବିଦ୍ରୋହୀ ଗୋଷ୍ଠୀ ଏନଡ଼ିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ମୋ ସମେତ ପ୍ରାୟ ୨୦ଜଣ ଟିଏମସି ସାଂସଦ ବଙ୍ଗର ବିକାଶ ପାଇଁ ଏନଡ଼ିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଥିଲେ। ଆମେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଏନଡ଼ିଏକୁ ଆନୁଷ୍ଠାନିକ ଭାବରେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଥିଲେ। ଏହା ପୂର୍ବରୁ ଗତ ସପ୍ତାହରେ କାକୋଲି ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ।

Leave a comment