ରାମ ମନ୍ଦିର ଦାନ ସହିତ ଜଡିତ ଚୋରି ଭଳି ଏକ ଗମ୍ଭୀର ଘଟଣାକୁ ହାଲୁକା ଭାବରେ ନିଆଯିବ ନାହିଁ -ଆରଏସ୍‌ଏସ୍‌

ଅଯୋଧ୍ୟା ରାମ ମନ୍ଦିରର ଦାନ ରାଶି ହେରଫେର ଓ ଚୋରି ମାମଲାକୁ ନେଇ ଏବେ ଉତ୍ତର ପ୍ରଦେଶ ସହ ସାରା ଦେଶରେ ଚର୍ଚ୍ଚା ଜୋର ରହିଛି । ଏହି ବିବାଦ ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ବୟାନ ସାମ୍ନାକୁ ଆସିଛି । ଆରଏସ୍‌ଏସ୍‌ ପକ୍ଷରୁ ସହକାର୍ଯ୍ୟବାହ ଦତ୍ତାତ୍ରେୟ ହୋଲବୋଲେ ଏହି ବୟାନ ଜାରି କରିଛନ୍ତି ।

ନିଜ ବୟାନରେ ହୋଲବୋଲେ କହିଛନ୍ତି, ‘ରାମ ଜନ୍ମଭୂମି ଉପରେ ନିର୍ମିତ ଏହି ଭବ୍ୟ ମନ୍ଦିର ପିଢ଼ି ପିଢ଼ିର ସଂଘର୍ଷ ଏବଂ କୋଟି କୋଟି ରାମ ଭକ୍ତଙ୍କ ସମର୍ପଣ, ତ୍ୟାଗ ଏବଂ ବଳିଦାନ ଯୋଗୁଁ ସମଗ୍ର ହିନ୍ଦୁ ସମାଜ ପାଇଁ ଶ୍ରଦ୍ଧା, ବିଶ୍ୱାସ ଏବଂ ଭକ୍ତିର କେନ୍ଦ୍ର ପାଲଟିଛି ।’ ସେ ଆହୁରି କହିଛନ୍ତି, ରାମ ଲଲ୍ଲା ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ଦୁର୍ଭାଗ୍ୟଜନକ । ଏହା ସମଗ୍ର ହିିନ୍ଦୁ ସମାଜ ଏବଂ ରାମ ଭକ୍ତମାନଙ୍କ (ଆରଏସଏସ ସମେତ) ଭାବନା ଏବଂ ଭକ୍ତିକୁ ଆଘାତ ଦେଇଛି ।

ଦତ୍ତାତ୍ରେୟ ହୋସାବଲେ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାର ଏକ ଏସଆଇଟି ଗଠନ କରିଛନ୍ତି । ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ବୟାନରେ ଆହୁରି କହିଛନ୍ତି, ଆରଏସଏସ ଏବଂ ସମଗ୍ର ହିନ୍ଦୁ ସମୁଦାୟର ଆଶା ଯେ ରାମ ମନ୍ଦିର ଦାନ ସହିତ ଜଡିତ ଚୋରି ଭଳି ଏକ ଗମ୍ଭୀର ଘଟଣାକୁ ହାଲୁକା ଭାବରେ ନିଆଯିବ ନାହିଁ । ଏହାକୁ ଏକ ଅସାଧାରଣ ମାମଲା ଭାବରେ ବିଚାର କରି, ମନ୍ଦିର ବ୍ୟବସ୍ଥା ଏବଂ ପରିଚାଳନାରେ ଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ । ଏଭଳି କରିବା ଦ୍ୱାରା ହିଁ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ମନ୍ଦିର ପ୍ରତି ଆସ୍ଥା ଏବଂ ବିଶ୍ୱାସ ଅକ୍ଷୁର୍ଣ୍ଣ ରହିବ ।

ସଂଘ କହିଛି ଯେ ବର୍ତ୍ତମାନ ଜନସାଧାରଣଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ଏବଂ ପ୍ରଶ୍ନ ରହିଛି, ଯାହାର ସମାଧାନ କରାଯିବା ଆବଶ୍ୟକ । ମନ୍ଦିର ପରିଚାଳନା ଏବଂ ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି ଏଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ । ସଂଘ ଆଶା ପ୍ରକାଶ କରିଛି, ଯଦି ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛ ହୁଏ, ମନ୍ଦିରକୁ ସଠିକ୍ ଭାବରେ ପରିଚାଳନା କରାଯାଏ ଏବଂ ଧାର୍ମିକ ପବିତ୍ରତା ବଜାୟ ରଖାଯାଏ, ତେବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ହିନ୍ଦୁ ସମାଜର ଆସ୍ଥା ଏବଂ ବିଶ୍ୱାସକୁ ପୂର୍ବ ପରି ଦୃଢ଼ ରଖିବ ।

Leave a comment